କେନ୍ଦ୍ର ବିରୋଧରେ ମମତାଙ୍କ ଅଭିଯୋଗ, “ବିରୋଧୀଙ୍କ ସ୍ୱର ଚପାଇବାକୁ କରାଯାଉଛି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର”

160

କନକ ବ୍ୟୁରୋ : ତୃଣମୂଳ ଶହିଦ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ଅବସରରେ ଏକ ଭର୍ଚୁଆଲ ସଭାରେ ମମତା କହିଛନ୍ତି କି ଦେଶବାସୀଙ୍କ ଆର୍ଶିବାଦ ଓ ପଶ୍ଚିମବଙ୍ଗବାସୀଙ୍କ ଭୋଟ ମୋତେ ପୁଣିଥରେ ଲୋକଙ୍କ ସେବା କରିବାକୁ ନିର୍ବାଚିତ କରିଛନ୍ତି । ସଭାରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ମମତା ବାନାର୍ଜୀ । କେନ୍ଦ୍ର ସରକାର କେନ୍ଦ୍ରୀୟ ଏଜେନ୍ସିଙ୍କୁ ବ୍ୟବହାର କରି ବିରୋଧୀଙ୍କ ସ୍ୱରକୁ ଚାପିଦେବାକୁ ପ୍ରୟାସ କରୁଛନ୍ତି । ଏହାସହ ଦେଶର ବିକାଶ ପାଇଁ କୃଷକ, ଶିଳ୍ପ, ମହିଳା, ଛୋଟ ପିଲା, ଦଳିତ ମାନଙ୍କର ବିକାଶର ଆବଶ୍ୟକ ଥିବା ବେଳେ କେନ୍ଦ୍ର ସରକାର ତାହା କରିବାରେ ବିଫଳ ହୋଇଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି  । ଅନ୍ୟପଟେ ଯେଉଁ ମାନେ ଦେଶର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ କାମ କରୁଛନ୍ତି , ସେମାନଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ଅପ ବ୍ୟବହାର କରି ସେମାନଙ୍କୁ ହଇରାଣ କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ପେଗାସସ୍ ମାମଲାକୁ ନେଇ ମମତା କହିଛନ୍ତି କି ଆମ ମାନଙ୍କର ଫୋନ ଟ୍ୟାପିଂ ହେଉଛି । ତେଣୁ ମୁଁ ମୋ ଫୋନ ଫ୍ଲାଇଟ ମୋଡ କରିଦେଇଛି ବୋଲି ସେ କହିଛନ୍ତି । ସେ କେନ୍ଦ୍ର ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣି କହିଛନ୍ତି କି ପେଗାସସ୍ ମାଧ୍ୟମରେ ସରକାର ନିଜ ସରକାରର ମନ୍ତ୍ରୀ , ଗଣମାଧ୍ୟମ ଓ ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖି ଗଣତନ୍ତ୍ରର ହତ୍ୟା କରିଛନ୍ତି ।

ଏହାସହ ଏହି ସଭାରେ ମମତା କେନ୍ଦ୍ର ରାଜନୀତିରେ ପାଦ ଥାପୁଥିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ସାଧାରଣ ନିର୍ବାଚନକୁ ୩ ବର୍ଷ ବାକିଥିବା ବେଳେ ସେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କରୋନା କଟକଣା କୋହଳ ହେବା ପରେ ସେ କୋଲକତାର ବିଗ୍ରେଡ ଗ୍ରାଉଣ୍ଡରେ ଅନେକ ରାଜନୈତିକ ଦଳର ନେତାଙ୍କୁ ନେଇ ଏକ ବିଶାଳ ସଭାର ଆୟୋଜନ କରିବେ ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି କି ବିଜେପିକୁ ଶାସନ ଗାଦିରୁ ନ ହଟାଇବା ଯାଏଁ ଶାନ୍ତିରେ ନିଶ୍ୱାସ ମାରିବେ ନାହିଁ ।