ଆସୁଛି ଦୁଇଟି ଲଘୁଚାପ : ଗୋଟିଏ ଆସନ୍ତା ୬ ଅନ୍ୟଟି ୧୩ ତାରିଖ ବେଳକୁ ଆସିବା ସମ୍ଭାବନା; ଆଜି ୧୦ ଜିଲ୍ଲାରେ ବର୍ଷା ସମ୍ଭାବନା

571

କନକ ବ୍ୟୁରୋ : ଆସୁଛି ଦୁଇଟି ଲଘୁଚାପ । ଗୋଟିଏ ଆସନ୍ତା ୬ ତାରିଖ ବେଳକୁ ଅନ୍ୟଟି ୧୩ ତାରିଖ ବେଳକୁ ଆସିବା ସମ୍ଭାବନା ରହିଛି । ୫ ତାରିଖ ପରେ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଏ ନେଇ ପୂର୍ବାନୁମାନ କରିଛି । ଏହି ସମୟରେ ବର୍ଷାର ପରିମାଣ ବଢ଼ିବା ନେଇ ସୂଚନା ରହିଛି । ସେହିପରି ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ ।

ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି । ତେବେ ୪ ତାରିଖରୁ ରାଜ୍ୟରେ ପାଗ ବଦଳିବା ସମ୍ଭାବନା ରହିଛି । ଚଳିତ ମାସରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଇଏମଡି କହିଛି ବନ୍ୟା ପରେ ଆଉ ବର୍ଷା ନାହିଁ । ମୌସୁମୀ ଦୁର୍ବଳ ହୋଇଯାଇଥିଲା । ଦିନରେ ପ୍ରବଳ ଖରା ହେଉଥିବା ବେଳେ ଅଧିକ ଆଦ୍ରତା ଯୋଗୁଁ ଗୁଳୁଗୁଳି ଅନୁଭୂତ ହେଉଥିଲା । କିନ୍ତୁ ୭ ତାରିଖ ପରେ ପୁଣିଥରେ ମୌସୁମୀ ସକ୍ରିୟ ହେବାକୁ ଯାଉଛି ।

ଗୁରୁବାର ଦିନ ମଧ୍ୟ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୋନପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଜି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୩ ତାରିଖ ଦିନ ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୪ ତାରିଖରୁ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ମେଘୁଆ ରହିବ।