ପାକିସ୍ତାନରେ କମୁନି ବନ୍ୟାର ଦୁର୍ଦ୍ଦଶା: ୩୦ ଲକ୍ଷରୁ ଅଧିକ ଶିଶୁ ବିପଦରେ ଥିବା ନେଇ କହିଲା ୟୁନିସେଫ

132

କନକ ବ୍ୟୁରୋ: ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା ଦେଶବାସୀଙ୍କ ଚିନ୍ତା ବଢାଇଛି । ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଗତ ୧୦ ଦିନର ବର୍ଷା ୩୦ ବର୍ଷର ରେକର୍ଡ କାଟିଛି । ଫଳରେ ଦେଶର ବିଭିନ୍ନ ଅଂଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ରାସ୍ତା ଘାଟ ଘର ଦ୍ୱାରା ସବୁଆଡେ ପାଣି ବୁଡି ରହିଛି । ହଜାର ହଜାର ଲୋକ ନିଜର ବାସ ହରାଇଛନ୍ତି । ଲୋକେ ଅଂଟାଏ ଉଚ୍ଚର ପାଣିରେ ପଶି ଯା-ଆସ କରୁଥିବା ବେଳେ ସେମାନଙ୍କ ଜୀବନଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି । ଅନ୍ୟପଟେ ପାକିସ୍ତାନରେ ଭୟଙ୍କର ବନ୍ୟା ଯୋଗୁ ୩୦ ଲକ୍ଷରୁ ଅଧିକ ଶିଶୁ ଏବେ ବିପଦରେ ଥିବା ନେଇ ୟୁନିସେଫ କହିଛି ।

ବନ୍ୟା ପାଇଁ ୩୦ ଲକ୍ଷରୁ ଅଧିକ ଶିଶୁ ଏବେ ଜଳବାହିତ ରୋଗ ଓ ପୃଷ୍ଟିହୀନତାର ଶିକାର ହୋଇଥିବା ୟୁନିସେଫ କହିଛି । ପାକିସ୍ତାନରେ ବନ୍ୟା କାରଣରୁ ୨ ଲକ୍ଷ ୮୭ ହଜାର ରୁ ଅଧିକ ଘର ସମ୍ପୁର୍ଣ ନଷ୍ଟ ହୋଇଛି । ସେହିପରି ବନ୍ୟା କାରଣରୁ ବର୍ତିପାରିନି ପାକିସ୍ତାନର ବିଦ୍ୟାଳୟ । ଶିକ୍ଷା ଭିତିଭୁମିରେ ବ୍ୟାପକ କ୍ଷତି ଦେଖାଯାଇଛି । ବର୍ତମାନ ସୁଦ୍ଧା ପାକିସ୍ତାନର ୧୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ତେବେ ଏମାନଙ୍କ ମଧ୍ୟରେ ୩୮୦ ଜଣ ଛୋଟପିଲା ରହିଛନ୍ତି । ଦେଶରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେଉଥିବା ବେଳେ ଲୋକେ ସାହାର୍ଯ୍ୟ ଅପେକ୍ଷାରେ ବସିଛନ୍ତି । ଏମିତିକି ୟୁଏନ ତରଫରୁ ଅନ୍ୟ ଦେଶଗୁଡିକୁ ପାକକୁ ସହାୟତା କରିବା ପାଇଁ ଅପିଲ କରିଛି । ଅନ୍ୟପଟେ ବନ୍ୟା ପାଇଁ ୭୯ ହଜାର କୋଟିର କ୍ଷତି ମଧ୍ୟ ସହିଛି ପାକିସ୍ତାନ । ତେବେ ନିକଟରେ ପାକ ବନ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜଣାଇଥିଲେ । ଯେଉଁଥିରେ ଧନ୍ୟବାଦ ଜଣାଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।