ପାରିବାରିକ ବିବାଦ ମାମଲାରେ ଶୁଣାଣି ବେଳେ କେରଳ ହାଇକୋର୍ଟଙ୍କ ଟିପ୍ପଣୀ : ବଢୁଛି ‘ୟୁଜ ଆଣ୍ଡ ଥ୍ରୋ’ ପ୍ରଥା, ବିବାହକୁ ଖରାପ ପରମ୍ପରା ଭାବୁଛନ୍ତି ଯୁବପିଢି

287

କନକ ବ୍ୟୁରୋ : ଏବେର ଯୁବପିଢି ଭାବୁଛନ୍ତି ବିବାହ କଲେ ଆଉ ସ୍ୱାଧୀନତା ରହିବ ନାହିଁ । ତେଣୁ ସେମାନେ ବିବାହ ବନ୍ଧନରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି । ଆଉ ବିବାହକୁ ଏକ ଖରାପ ପରମ୍ପରା ବୋଲି ଭାବୁଛନ୍ତି । କିନ୍ତୁ ସେମାନେ ଲିଭ୍-ଇନ-ରିଲେସନସିପରେ ରହିବାକୁ ପସନ୍ଦ କରୁଛନ୍ତି । କେରଳରେ ଏକ ପାରିବାରିକ ମାମଲାର ଶୁଣାଣି କରିବା ବେଳେ କେରଳ ହାଇକୋର୍ଟ ଏପରି କିଛି କହିଛନ୍ତି ।

ଜଷ୍ଟିସ ଏ ମହମ୍ମଦ ମୁସ୍ତାକ, ଜଷ୍ଟିସ ସୋଫି ଥୋମାସଙ୍କ ଖଣ୍ଡପୀଠ ‘ୟୁଜ ଆଣ୍ଡ ଥ୍ରୋ’ ସଂସ୍କୃତିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଦିନକୁ ଦିନ ଲିଭ୍ ଇନ୍ ରିଲେସନ୍ ସଂସ୍କୃତି ବଢ଼ିବାରେ ଲାଗିଛି । ଏହାଦ୍ୱାରା ସେମାନେ ଅଲଗା ହେବା ସମୟରେ ସହଜରେ ‘ପରସ୍ପରକୁ ବିଦାଏ’ କହିପାରିବେ ଭାବି ଏହି ଖରାପ ପ୍ରଥା ବଢିବାରେ ଲାଗିଛି । ବିବାହ କଲେ ପତ୍ନୀର ଅର୍ଥ ଅନ୍ୟ ଏକ ଚିନ୍ତା ବୋଲି ଯୁବପିଢି ଭାବୁଛନ୍ତି । ତେଣୁ ‘ୟୁଜ୍ ଆଣ୍ଡ୍ ଥ୍ରୋ’ ସଂସ୍କୃତି ବଢୁଛି । ଯାହା ଆମ ବୈବାହିକ ଜୀବନକୁ ପ୍ରଭାବିତ କରୁଛି ବୋଲି ଖଣ୍ଡପୀଠ କହିଛନ୍ତି । ପୂର୍ବରୁ ପରିବାରରେ ସ୍ନେହ, ପ୍ରେମ ଓ ଉତ୍ତମ ସମ୍ପର୍କ ରହିଆସିଥିଲା । ଏବେ କିନ୍ତୁ ଏହି ଧାରା ବଦଳିଯାଇଛି ।

ଏବେର ପ୍ରବୃତି ସ୍ୱାର୍ଥପର, ତ୍ୱଛ, ଅନୈତିକ ସମ୍ପର୍କ ଓ ଛାଡପତ୍ର ଆଦି ମାମଲାକୁ ବଢାଇଛି । ଏପରିକି ପିଲାଙ୍କ ଭବିଷ୍ୟତକୁ ନଦେଖି ବାପା-ମା ଛାଡପତ୍ର ନେଉଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି । ଏହି ମାମଲାରେ କୋର୍ଟ କହିଛନ୍ତି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସାଧାରଣ ଝଗଡ଼ାକୁ ନିଷ୍ଠରତା ବୋଲି କୁହାଯାଇପାରିବ ନାହିଁ । ଏହାକୁ ଛାଡପତ୍ରର ଏକ ବୈଧ କାରଣ ଭାବରେ ବିବେଚନା କରାଯାଇପାରିବ ନାହିଁ ।