ପାହାନ୍ତିଆରେ କଟକ ବଡ ମେଡିକାଲରେ ପହଞ୍ଚିଲେ ପାଣ୍ଡିଆନ । ଏସସିବିର ଦ୍ୱିତୀୟ କ୍ୟାମ୍ପସ ପ୍ରସ୍ତାବିତ ଅଞ୍ଚଳ ବୁଲି ଦେଖିଲେ ।

1,099

କନକ ବ୍ୟୁରୋ : ପାହାନ୍ତିଆରେ କଟକ ବଡ ମେଡିକାଲରେ ପହଞ୍ଚିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । କଟକ ଏସସିବି ମେଡିକାଲ ସହ ଏସସିବିର ଦ୍ୱିତୀୟ କ୍ୟାମ୍ପସ ପ୍ରସ୍ତାବିତ ଅଞ୍ଚଳ ମହାନଦୀର ହାଡିଆ ପଠା ଓ ସିସୋର ପଠା ପରିଦର୍ଶନ କରିଛନ୍ତି ପାଣ୍ଡିଆନ । ପୂର୍ବଥର ଭଳି ଏଥର ମଧ୍ୟ ବଡି ଭୋରରୁ ବଡ ମେଡିକାଲରେ ପହଞ୍ଚିଥିଲେ ପାଣ୍ଡିଆନ । ଭୋର ପାଖାପାଖି ୫ଟା ସମୟରେ ଏସସିବିରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତି ପରିଖିଥିଲେ ପାଣ୍ଡିଆନ ।

କଟକ ବଡ଼ ଡାକ୍ତରଖାନାରୁ ବାହାରି ମେରିଟାଇମ ମ୍ୟୁଜିୟମରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ପଠା ଅନୁଧ୍ୟାନ କରିଥିଲେ ପାଣ୍ଡିଆନ୍‌ । ଏହି ବୈଠକରେ ୫-ଟି ସଚିବଙ୍କ ସହ ଜଳ ସମ୍ପଦ ବିଭାଗର ଉଚ୍ଚ ଅଧିକାରୀ ଓ ଆର୍‌ଡିସି ମଧ୍ୟ ଉପସ୍ଥିତ ଥିଲେ । ମହାନଦୀ ହାଡିଆ ପଠାରେ କଟକ ଜିଲ୍ଲାପାଳ, ପୋଲିସ୍‌ କମିସନରଙ୍କ ସହ କଟକ ଡିସିପି ମଧ୍ୟ ଉପସ୍ଥିତ ଥିଲେ ।

ଏହାପୂର୍ବରୁ ଗତ ୬ ନଭେମ୍ବର ୨୦୧୯ରେ ମଧ୍ୟ ବଡି ଭୋରରୁ କଟକ ବଡ ମେଡିକାଲ ଗସ୍ତ କରିଥିଲେ ପାଣ୍ଡିଆନ । ଉଦ୍ଦେଶ୍ୟଥିଲା, ରାଜ୍ୟର ସବୁଠୁ ବଡ଼ ମେଡ଼ିକାଲରେ କେମିତି ଚାଲିଛି ସ୍ୱାସ୍ଥ୍ୟ ସେବା ତା’ର ତଦାରଖ କରିବା । ପ୍ରଥମେ କାଜୁଆଲିଟି ଯାଇ ରୋଗୀଙ୍କ ଅବସ୍ଥା ଯାଂଚ କରିଥିବା ବେଳେ ପରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ମ୍ୟାପର ଅନୁଧ୍ୟାନ କରିଥିଲେ । ଏସସିବିରେ ଖାଲି ପଡ଼ିଥିବା ଜାଗାର କିଭଳି ସୁବିନିଯୋଗ ହୋଇ ପାରିବ, ତା’ର ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ ।

ଆଉ ପାଣ୍ଡିଆନଙ୍କ ଗସ୍ତ ପରେ ପରେ ହିଁ କଟକ ବଡ଼ ମେଡ଼ିକାଲ ପାଇଁ ବଡ଼ ଧରଣର ଘୋଷଣା କରିଥିଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ୧୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଏସସିବିକୁ ଏମ୍ସ ପ୍ଲସ ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ୩ ହଜାର ଶର୍ଯ୍ୟା ବିଶିଷ୍ଟ ସମନ୍ୱିତ ହସ୍ପିଟାଲ ନିର୍ମାଣ କରିବାକୁ ଘୋଷଣା କରାଯାଇଥିଲା ।