ଆରପାରିରେ ମହମ୍ମଦ ଅଜିଜ୍ ! ମୁମ୍ବାଇରେ ୬୪ ବର୍ଷ ବୟସରେ ପରଲୋକ ।

1,265

କନକ ବ୍ୟୁରୋ : ବଲିଉଡର ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜଙ୍କ ପରେଲାକ ଘଟିଛି । ମୁମ୍ବାଇରେ ୬୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବଲିଉଡରେ ଅନେକ ଫିଲ୍ମରେ ଅଜିଜ ଗୀତ ଗାଇଛନ୍ତି । ଏପରିକି ଅନେକ ଓଡିଆ ଭଜନ ସହ ଆଧୁନିକ ଗୀତ ମଧ୍ୟ ସେ ଗାଇଛନ୍ତି । ମଙ୍ଗଳବାର ମୁ୍ମ୍ବାଇର ନାନାବତୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । 

ଭାରତୀୟ ସଂଗୀତ ଦୁନିଆ ମଙ୍ଗଳବାର ଦକ୍ଷ କଣ୍ଠଶିଳ୍ପୀ ମହମ୍ମଦ ଅଜିଜଙ୍କୁ ହରାଇଛି। ୬୪ ବର୍ଷିୟ ଏହି ବଲିଉଡ୍ ଗାୟକ ମୁମ୍ବାଇଠାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୋମବାର ମହମ୍ମଦ କୋଲକାତାରୁ ମୁମ୍ବାଇ ଆସିଥିଲେ। ମଙ୍ଗଳବାର ଅପରାହ୍ନ ୩ଟାରେ ମହମ୍ମଦଙ୍କ ଶରୀର ହଠାତ ବିଗିଡ଼ି ଯିବା ପରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ତାଙ୍କର ଜନ୍ମ ୧୯୫୪ ମସିହା ପଶ୍ଚିମବଙ୍ଗର ଆଶୋକନଗରଠାରେ ହୋଇଥିଲା। ସେ ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ବଙ୍ଗଳା, ଓଡ଼ିଆ ଓ ଅନ୍ୟ ବହୁ ଆଞ୍ଚଳିକ ଭାଷାରେ ମଧ୍ୟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି। ସେ ପ୍ରଥମେ ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ‘ମର୍ଦ’ରୁ ହିନ୍ଦୀ ସିନେମାରେ ଗୀତ ଗାଇବା ଆରମ୍ଭ କରିଥିଲେ। କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କର ସେ ଜଣେ ବଡ଼ ପ୍ରଶଂସକ ଥିଲେ। ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଥମେ ଗୀତ ଗାଇବାର ସୁଯୋଗ ତାଙ୍କୁ ଅନୁ ମଲ୍ଲିକ ଦେବା ପରେ ସେ ପରବର୍ତ୍ତୀ କାଳରେ ସଂଗୀତ ଦୁନିଆର ଏକ ଚିହ୍ନା ଚେହେରା ପାଲଟି ଯାଇଥିଲେ।

ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ବହୁ ମନଛୁଆଁ ଗୀତ ଉପହାର ଦେଇଛନ୍ତି । ସିନେମା ବ୍ୟତୀତ ମହମ୍ମଦ ଅଜିଜ୍ ବହୁ ଓଡ଼ିଆ ଭଜନ ଓ ଆଲବମ୍ ଗୀତର କଣ୍ଠଦାନ କରିଛନ୍ତି । ପ୍ରଥମେ ସେ ୧୯୮୫ ମସିହାରେ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ‘ଜଗା ହାତରେ ପଘା’ ଚଳଚ୍ଚିତ୍ରର  ‘ରୂପା ଶଗଡ଼ିରେ ସୁନା କନିଆ..’ ଗୀତ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ । ଏହା ପରେ ସେ ଶତାଧିକ ଓଡ଼ିଆ ଗୀତ ଗାଇ ଓଡ଼ିଆ ଗୀତ ପ୍ରେମୀଙ୍କ ପ୍ରିୟ ହୋଇ ପାରିଥିଲେ। ସେ ଗାଇଥିବା ଅନେକ ଗୀତ ସୁପରହିଟ୍ ହୋଇଛି ମଧ୍ୟ ।