ପିଲାଙ୍କ ପାଇଁ କରୋନା ଟିକା : ଭାରତରେ ପରୀକ୍ଷଣ ପାଇଁ ଜନସନ ଆଣ୍ଡ ଜନସନ ମାଗିଲା ଅନୁମତି, ୧୨-୧୭ ବର୍ଷର ପିଲାଙ୍କ ଉପରେ ହେବ ଷ୍ଟଡି

124

କନକ ବ୍ୟୁରୋ : ଗୋଟିଏ ପଟେ ପିଲାଙ୍କ ପାଇଁ ବିକଶିତ ହୋଇଥିବା କରୋନା ଟିକାର ପରୀକ୍ଷଣ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି ତ ଅନ୍ୟପଟେ ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ତରଫରୁ ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା କରୋନା ଟିକାର ପରୀକ୍ଷଣ ପାଇଁ ଡିସିଜିଆଇ ଠାରୁ ଅନୁମତି ମାଗିଛି ।

୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଖୁବଶୀଘ୍ର କରୋନା ଟିକା ଆସିପାରେ ବୋଲି ଆଶା କରାଯାଇଛି । ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ଟିକାର ପରୀକ୍ଷଣ ପାଇଁ ସରକାରଙ୍କୁ ଅନୁମତି ମାଗିଛି । କମ୍ପାନୀ ୧୨-୧୭ ବର୍ଷ ବୟସର ପିଲାଙ୍କ ଉପରେ ଏହି ଟିକା ପରୀକ୍ଷଣ କରିବ । ସେପେଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା କହିଛନ୍ତି କି ପିଲାଙ୍କ ପାଇଁ ବିକଶିତ ହୋଇଥିବା କରୋନା ଟିକା କୋଭାକ୍ସିନ ଆସନ୍ତା ମାସ ସୁଦ୍ଧା ବଜାରକୁ ଆସିପାରେ । କେବଳ ସ୍ୱାସ୍ଥ୍ୟମନ୍ତ୍ରୀ ନୁହନ୍ତି ତାଙ୍କ ପୂର୍ବରୁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆ ବି ସମାନ କଥା କହିଥିଲେ । ଯଦି ସବୁକିଛି ଠିକ ରହେ ତେବେ ସେପ୍ଟେମ୍ବର ମାସରେ ପିଲାଙ୍କ ପାଇଁ କରୋନା ଟିକା ଆସିପାରେ ।

ଅନ୍ୟପଟେ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ବାୟରୋଲୋଜିର ନିର୍ଦ୍ଦେଶକ ଡ. ପ୍ରିୟା ଆବ୍ରାହମ କହିଛନ୍ତି କି ଆଶା କରାଯାଉଛି ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ପିଲାଙ୍କ ପାଇଁ ଟିକା ଉପଲବ୍ଧ ହୋଇପାରେ । ଏହାସହ ନାକରେ ଦେବାରେ ଥିବା ଟିକା ଜେନୋବା ବି ଖୁବଶୀଘ୍ର ଆସିପାରେ । କହିରଖୁ କି ଜେନୋବା ଟିକା ଏନଆରଏନଏ ଉପରେ ଆଧାରିତ ।