ଚାଷୀଙ୍କୁ କାଳ ହେଲା ଅଦିନିଆ ବର୍ଷା । ବର୍ଷାରେ ଭିଜିଲା ମଣ୍ଡିରେ ଥିବା ଧାନ ବସ୍ତା, ଓଦାଧାନକୁ କେମିତି ବିକିବେ, ଚିନ୍ତାରେ ଚାଷୀ ।

1,422

କନକ ବ୍ୟୁରୋ : ଚାଷୀଙ୍କୁ କାଳ ହେଲା ଅଦିନିଆ ବର୍ଷା । ଟାର୍ଗେଟ୍ ନଥିବା କହି ମଣ୍ଡିରେ ଧାନ କିଣୁନାହାନ୍ତି ଚାଷୀ । ଏଣେ ରାତି ଅଧରେ ବର୍ଷା ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବର୍ଷାରେ ଭିଜିଯାଇଛି ମଣ୍ଡିରେ ଥିବା ଧାନ ବସ୍ତା । ସମ୍ବଲପୁର କୁଚିଣ୍ଡା ଓ ଗଜପତିରୁ ଆସିଛି ଓଦା ଧାନ ମଣ୍ଡିର ଦୃଶ୍ୟ ।

ସରିଗଲା ଟାର୍ଗେଟ, ଧାନ କିଣିଲେନି ମିଲର୍ସ । ଧାନ ମଣ୍ଡିରେ ଚାଷୀ ଦୁରାବସ୍ଥାର ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡିରହିଛି । ବିଭିନ୍ନ ଆଳ ଦେଖାଇ ମିଲର୍ସ ଧାନ କିଣୁନଥିବା ବେଳେ ଶୁକ୍ରବାର ରାତିରେ ହୋଇଥିବା ଅଦିନିଆ ବର୍ଷା ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । ଜମନକିରା ବ୍ଲକର ସୁବର୍ଣ୍ଣପାଲି ମଣ୍ଡିରେ ପଡିଥିବା ଧାନ ସବୁ ଓଦା ହୋଇଯାଇଛି । ଚାଷୀ ମଣ୍ଡିରେ ଓଦା ବସ୍ତା ବଦଳାଇବା ସହ ସୁଖିଲା ଓ ସୁରକ୍ଷିତ ସ୍ଥାନରେ ଧାନ ବସ୍ତାକୁ ସାଇତି ରଖୁଛନ୍ତି । ଆଉ ଅପେକ୍ଷା କରିଛନ୍ତି, କେବେ ସରକାର ଟୋକନ ଅବଧି ସହ ଟାର୍ଗେଟ୍ ବଢାଇବେ ଏବଂ ଧାନ ବିକ୍ରି ହେବ, ଚାଷୀ ହାତକୁ ଦୁଇ ପଇସା ଆସିବ ।

ମଣ୍ଡିରେ ଧାନ ବିକ୍ରିକୁ ନେଇ ଅବ୍ୟବସ୍ଥା ସଂପର୍କୀତ ଖବର ପ୍ରାୟ ସବୁ ଦିନ ସାରା ରାଜ୍ୟରୁ ଆସୁଛି । ସେହିପରି ଗଜପତି ଜିଲ୍ଲାରେ ଅଦିନିଆ ବର୍ଷାରେ ଭିଜି ଯାଇଛି ଚାଷୀଙ୍କ କଷ୍ଟ ଉପାର୍ଜିତ ଅମଳ । ଧାନ ଅମଳ ହେବାର ୧ ମାସ ପରେ ମିଲର୍ସ ନକିଣିବାରୁ ମଣ୍ଡିରେ ଓ ଖଳାରେ ଗଦା ହୋଇ ରହିଥିଲା । ଆଉ ଅଦିନରେ ବର୍ଷା ଆସି ଚାଷୀଙ୍କ ଧାନକୁ ଭିଜେଇ ଦେଇଗଲା । ଆଗରୁ ଭଲ ଧାନ କିଣୁନଥିବା ମିଲର୍ସ ଓଦା ଧାନକୁ କିଣିବ ନାହିଁ ତାକୁ ନେଇ ଆଶା ଆଶଙ୍କାରେ ଅଛନ୍ତି ଗଜପତି ଜିଲ୍ଲାର ଚାଷୀ ।

ବିଗତ ବର୍ଷମାନଙ୍କରେ ମଧ୍ୟ ମଣ୍ଡି ସମସ୍ୟାରେ ଘାଣ୍ଟି ହୋଇଥିଲେ ଚାଷୀ । ଧାନ କିଣାବିକାରେ ଅବ୍ୟବସ୍ଥା ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ । ତେଣୁ ଏହାର ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି ।