ରାଜ୍ୟସଭାରେ ଆଗତ ହେଲା ତିନି ତଲାକ ବିଲ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ହୋଇପାରିଲାନି ଆଲୋଚନା । ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କଲା କଂଗ୍ରେସ

36

କନକ ବ୍ୟୁରୋ : ଲୋକସଭାରେ ପାରିତ ହୋଇସାରିଥିବା ତିନି ତଲାକ ବିଲ ଆଜି ରାଜ୍ୟସଭାରେ ଆଗତ ହୋଇଛି । ହେଲେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏହା ଉପରେ ଆଲୋଚନା ହୋଇପାରି ନାହିଁ । ମହାରାଷ୍ଟ୍ରରେ ଦଳିତଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବିରୋଧୀ ଗୃହରେ ହଙ୍ଗାମା କରିଛନ୍ତି ।

ସେପଟେ ତିନି ତଲାକ ବିଲକୁ ସିଲେକ୍ଟ କମିଟିକୁ ପଠାଇଦେବା ଲାଗି ଦାବି କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ଆନନ୍ଦ ଶର୍ମା ଏନେଇ ଏକ ମୋସନ ଆଣିଛନ୍ତି । ଯାହାକୁ ତୀବ୍ର ସମାଲୋଚନା କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଦୋମୁହାଁ ନୀତି ପ୍ରଦର୍ଶନ କରୁଛି କଂଗ୍ରେସ । ଲୋକସଭାରେ ବିଲକୁ ସମର୍ଥନ କରିଥିବାବେଳେ ରାଜ୍ୟସଭାରେ ବିରୋଧ କରି ରାଜନୀତିର ରୁଟି ସେକୁଛି ।

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିସାରିବା ପରେ ରାଜନୈତିକ ଦଳଗୁଡିକ ବିଲ ବିରୋଧୀ ତମ ପୋଷଣ କରିବା ଅନୁଚିତ ବୋଲି ସେ କହିଛନ୍ତି । ସେହିପରି କଂଗ୍ରେସ ହଠାତ ମୋସନ ଆଣି ବିଲକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଥିବାରୁ ଏହାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । ସଂସଦୀୟ ବିଧି ବ୍ୟବସ୍ଥା ଅନୁସାରେ ୨୪ ଘଂଟା ପୂର୍ବରୁ ମୋସନ ଆଣିବା କଥା ବୋଲି ସେ କହିଛନ୍ତି ।