ରାଜସ୍ଥାନରେ ଚିହ୍ନଟ ହେଲେ ଆଉ ୯ ଓମିକ୍ରନ୍ ସଂକ୍ରମିତ । ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ।

269

କନକ ବ୍ୟୁରୋ: ମହାରାଷ୍ଟ୍ର ପରେ ରାଜସ୍ଥାନରୁ ଚିହ୍ନଟ ହେଲେ ୯ ଓମିକ୍ରନ୍ ସଂକ୍ରମିତ । ରାଜସ୍ଥାନର ଜୟପୁରରୁ ଏହି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନର ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି । ଏହା ପୂର୍ବରୁ ମହାରାଷ୍ଟ୍ରରେ ମଧ୍ୟ ୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଏବେ ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ ଯେ, ଦେଶରେ ଏବେ ବଢିବାରେ ଲାଗିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଆଜି ଦିଲ୍ଲୀରୁ ମଧ୍ୟ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଞ୍ଜାନିଆରୁ ଆସିଥିବା ଯାତ୍ରୀଙ୍କ ନିକଟରୁ ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଛି । ଆକ୍ରାନ୍ତଙ୍କୁ ଦିଲ୍ଲୀ ଏଲଏନଜିପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୧୨ ଜଣ ଯାତ୍ରୀଙ୍କ ନମୁନା ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା  । ଏମାନଙ୍କ ମଧ୍ୟରୁ ଜଣଙ୍କ ଦେହରେ ଓମିକ୍ରନ୍ ଭୂତାଣୁ ଥିବା ବେଳେ ଅନ୍ୟ ୧୧ ଜଣଙ୍କ ଦେହରେ ସାମାନ୍ୟ କରୋନା ଲକ୍ଷଣ ରହିଥିବା ସୂଚନା ଦେଇଥିଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ ।

ପ୍ରଥମେ କର୍ଣ୍ଣାଟକରୁ ୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ମହାରାଷ୍ଟ୍ରରୁ ୮ ଜଣ, ଗୁଜରାଟ ଓ ଦିଲ୍ଲୀରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିଲେ । ମହାରାଷ୍ଟ୍ରରେ ପୂୂର୍ବରୁ ଚିହ୍ନଟ ହୋଇଥିବା ଓମିକ୍ରନ୍ ଆକ୍ରାନ୍ତ ଜଣଙ୍କ ୩୩ ବର୍ଷୀୟ ମେରାଇନ୍ ଇଂଜିନିୟର । ସେ ଦକ୍ଷିଣ ଆଫ୍ରିକାରୁ ଭାୟା ଦୁବାଇ ଓ ଦିଲ୍ଲୀ ହୋଇ ମୁମ୍ବାଇରେ ପହଞ୍ଚିଥିଲେ । ସେହିପରି ଗୁଜରାଟ ଜାମନଗରର ଓମିକ୍ରନ୍ ଆକ୍ରାନ୍ତ ୭୨ ବର୍ଷୀୟ ବୃଦ୍ଧା । ସେ ଜିମ୍ବାୱେରୁ ଗୁଜରାଟ ଫେରିଥିଲେ ।