କୋରାପୁଟର କାଜୁକୁ ମିଳିବ ନୂଆ ପରିଚୟ । କଫି ପରି କାଜୁୁର ହେବ ସ୍ୱତନ୍ତ୍ର ବ୍ରାଣ୍ଡ । ପ୍ରତିବର୍ଷ ଜିଲ୍ଳାରେ ୧୦୦୦ ଏକରରେ ଲାଗିବ କାଜୁୁ ଗଛ

131

କନକ ବ୍ୟୁରୋ: ଦେଶରେ କାଜୁୁ ଚାଷରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିବା ବେଳେ କୋରାପୁଟର କାଜୁ ନିଜର ସ୍ୱାଦ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଜିଲ୍ଳାର ଜଳବାୟୁ ଓ ମାଟି ଅନୁକୂଳ ହୋଇଥିବାରୁ ଏଠାରେ ବର୍ଷ ବର୍ଷ ଧରି କାଜୁ ଚାଷ ହୋଇ ଆସୁଛି । ତେବେ ଚାଷୀ ଯେତିକି ଅମଳ ପାଇବା କଥା ପାଇପାରୁ ନାହାନ୍ତି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଆଗ୍ରହ କମୁଥିବା ବେଳେ କାଜୁ ଚାଷର ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଯୋଜନା ।

କୋରାପୁଟ କଫି ଭଳି କାଜୁ ଚାଷର ପୁନରୁଦ୍ଧାର ପାଇଁ ରାଜ୍ୟ କାଜୁ ନିଗମ ଚାଷୀ ଓ କେନ୍ଦ୍ରୀୟ ବୋର୍ଡ଼ର ଅଧିକାରୀଙ୍କୁ ନେଇ ବୈଠକ କରିଛି । ଉନ୍ନତମାନର ଜ୍ଞାନକୌଶଳ ଓ ତାଲିମ ଯୋଗାଇଦେବାକୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛି ନିଗମ । ପ୍ରତିବର୍ଷ ଜିଲ୍ଳାରେ ହଜାରେ ଏକର ଜମିରେ ଲାଗିବ କାଜୁୁ ଗଛ । ଚାରା ଚାଷୀ ଙ୍କୁ ଯୋଗାଇ ଦିଆଯିବ ବୋଲି ଅଧିକାରୀ କହିଛନ୍ତି ।

ପୂର୍ବରୁ ଜିଲ୍ଳାରେ ୨୫ ହଜାର ହେକ୍ଟର ଜମିରେ କାଜୁୁ ଗଛ ଲାଗିଥିବା ବେଳେ ଏଥିରୁ ୧୨ ହଜାର ୫ ଶହ ମେଟ୍ରିକ ଟନ୍ କାଜୁ ମଞି ଆଦାୟ ହେଉଥିଲା । ବିନା ରାସାୟନିକ ସାରରେ ହେଉଥିବା ଏହି ଚାଷକୁ ନେଇ ଜିଲ୍ଳାରେ ମଧ୍ୟ ୬୦ଟି କାଜୁୁ ଫ୍ୟାକ୍ଟ୍ରି ଖୋଲାଯାଇଥିଲା । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ସବୁ ପ୍ୟାକଟ୍ରି ଜରିଆରେ ୩୦ରୁ ୪୦ ହଜାର ଲୋକଙ୍କୁ ରୋଜଗାର ମିଳୁଥିଲା । ହେଲେ ଏବେ ଅଧିକାଂଶ ଫ୍ୟାକଟ୍ରିରେ ତାଲା ପଡ଼ିଥିବା ବେଳେ ମାତ୍ର ୧୦ ରୁ ୨୦ଟି ଫ୍ୟାକଟ୍ରିରେ ଚାଲୁ ରହିଛି । ତେବେ କାଜୁ ନିଗମ ଓ ପ୍ରଶାସନ ପକ୍ଷରୁ ଏବେ ପ୍ରସ୍ତୁତ ହୋଇଥିବା ନୂଆ ଯୋଜନାକୁ ନେଇ କାଜୁ ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ରାଜ୍ୟରେ ଏକ ହେକ୍ଟର ଜମିରୁ ପ୍ରାୟ ୫ ଶହ କେଜି କାଜୁୁ ଆଦାୟ ହେଉଥିବା ବେଳେ ବ୍ରାଜିଲ ଭଳି ଦେଶରେ ଖୁବ୍ ଅଧିକ ଆଦାୟ ହୋଇଥାଏ । ତେବେ ଉନ୍ନତ ତାଲିମ ଓ ନୂଆ ଜ୍ଞାନ କୌଶଳ ଜରିଆରେ ଅଧିକ ଅମଳ ସହ ଚାଷୀଙ୍କୁ ଅଧିକ ଲାଭ ମିଳିବ ବୋଲି ଆଶା ରହିଛି ।