ଦୁର୍ବଳ ହେଲା ଅବପାତ ! ୨୦ ସୁଦ୍ଧା ଫେରିବ ଥଣ୍ଡା

62

କନକ ବ୍ୟୁରୋ: ଗତକାଲି ଲଘୁଚାପରୁ ଘନୀଭୂତ ହୋଇଥିବା ଅବପାତ ଓଡ଼ିଶା ଉପକୂଳଠାରୁ ଦୂରେଇ ଯିବା ପରେ ଦୁର୍ବଳ ହୋଇପଡ଼ିଛି । ଏହା ପୁଣି ଏହାର ପୂର୍ବାବସ୍ଥା ସ୍ପଷ୍ଟଚିହ୍ନିତ ଲଘୁଚାପକୁ ଫେରିଛି । ଏହାର ପ୍ରଭାବରେ ଆଜି ଉପକୂଳ ଏବଂ ଉତ୍ତର ଓଡ଼ିଶାରେ କାଁ ଭାଁ ବର୍ଷା ହେବ । ପବନର ବେଗ କମିଥିଲେ ବି ଉତ୍ତର ଉପକୂଳ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ । ବର୍ଷା ପରେ ପାଗ ସୁଧୁରି ସ୍ୱାଭାବିକ ଅବସ୍ଥାକୁ ଫେରୁଛି । ତଥାପି ଗତ ଚାରିଦିନ ଧରି ବାୟୁମଣ୍ଡଳରେ ଜଳୀୟବାଷ୍ପ ଥିବାରୁ ଥଣ୍ଡା ଫେରିବାକୁ ଆଉ ଦିନେ ଦୁଇଦିନ ସମୟ ଲାଗିପାରେ ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ଣରେ ଅବପାତ ପାରାଦୀପଠାରୁ ଦୂରେଇ ଯାଇ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ରହିଛି । ଖୁବଶୀଘ୍ର ଏହା ରାଜ୍ୟର ଜଳ ସୀମା ପାର କରିବାର ସମ୍ଭାବନା ଅଧିକ । ରାଜ୍ୟରେ ବର୍ଷା ଜନିତ ଥଣ୍ଡା ଲାଗି ରହିବା ଫଳରେ ଏହି ଅବପାତଟି ଗଞ୍ଜାମ ଦେଇ ସ୍ଥଳଭାଗ ଛୁଇଁପାରିନଥିବା ପାଣିପାଗବିତ୍ କହିଛନ୍ତି । ଫଳରେ ଏହା ସମାନ୍ତରାଳ ଭାବେ ଉପକୂଳ ଦେଇ ଆଗେଇ ଚାଲିଥିଲା । ଶେଷ ଆଡ଼କୁ ଏହା ଉପକୂଳର ଅନେକ ସ୍ଥାନ ଏବଂ ଉତ୍ତରର କିଛି ସ୍ଥାନରେ ବର୍ଷିଛି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟର ପାଣିପାଗ ବଦଳି ଯାଇଛି । ଅଧିକାଂଶ ସ୍ଥାନରେ ରାତିର ଅର୍ଥାତ୍ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଦିନର ସର୍ବୋଚ୍ଚ ତାପମାନ ବି ୩୦ଡିଗ୍ରୀ ତଳକୁ ଖସିଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ତିର୍ତୋଲରେ ସର୍ବାଧିକ ୬୦ ମିଲିମିଟର ବର୍ଷା ହୋଇଥିଲା । ସେହିପରି ପଟ୍ଟାମୁଣ୍ଡାଇ, ଚାନ୍ଦବାଲି, କୁଜଙ୍ଗରେ ୫ ମି.ମି., ବିଞ୍ଝାରପୁର, ବାଲିକୁଦା, ଆଳିପିଙ୍ଗଳରେ ୪୦ ମି.ମି., କାକଟପୁର, କେନ୍ଦ୍ରାପଡ଼ା, ରାଜକନିକା, ପୁରୀ, ମାର୍ଶାଘାଇ, ଅସ୍ତରଙ୍ଗ, ଗୋପ ପ୍ରଭୃତି ସ୍ଥାନରେ ୩୦ ମି.ମି. ବର୍ଷା ହୋଇଥିଲା । ଗତକାଲି ସନ୍ଧ୍ୟା ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୫୮ ମି.ମି., ପାରାଦୀପରେ ୨୯ ମି.ମି., ଭୁବନେଶ୍ୱରରେ ୭.୪ ମି.ମି., ବାଲେଶ୍ୱରରେ ୭ ମି.ମି. ଆଦି ବର୍ଷା ହୋଇଛି ।