କମୁଛି ଇଂଜିନିୟରିଂ ପ୍ରତି ଆଗ୍ରହ ! ପ୍ରବେଶିକା ପରୀକ୍ଷା ପାଇଁ ଏଯାଏଁ ଆବେଦନ କରିଛନ୍ତି ମାତ୍ର ୨୧ ହଜାର ଛାତ୍ରଛାତ୍ରୀ

33

କନକ ବ୍ୟୁରୋ : କମୁଛି ଇଂଜିନିୟରିଂ ପଢିବା ପ୍ରତି ଆଗ୍ରହ । ଇଂଜିନିୟରିଂ ପାଠ୍ୟକ୍ରମ ଲାଗି ହେଉଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍’ ପାଇଁ ରାଜ୍ୟର ଛାତ୍ରଛାତ୍ରୀ ବିମୁଖ । ପ୍ରବେଶିକା ପରୀକ୍ଷା ପାଇଁ ସମୟ ଅବଧୀ ଶେଷ ହେବାର ଆଉ ନଅ ଦିନ ବାକି ଥିବାବେଳେ ଆଜି ସୁଦ୍ଧା ୨୧ହଜାର ଛାତ୍ରଛାତ୍ରୀ ପଂଜୀକରଣ କରିଛନ୍ତି ।

ରାଜ୍ୟରେ ମୋଟ ୪୫ହଜାର ଇଂଜିନିୟରିଂ ସିଟ୍ ରହିଥିବା ବେଳେ ଚଳିତ ବର୍ଷ ପୂରଣ ହେବା ନେଇ ଆଶଙ୍କା ଦେଖାଦେଇଛି । ରାଜ୍ୟ ସରକାର ମଧ୍ୟ ଏନେଇ ତତ୍ପରତା ଦେଖାଇ ସିବିଏସଇକୁ ସମୟ ଅବଧୀ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ବଢାଇବା ଲାଗି ଚିଠି ଲେଖିଛନ୍ତି ।

ଚଳିତବର୍ଷ ଜେଇଇ ମେନ ଲାଗି ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ଆଧାର କାର୍ଡ ଲାଗି ଛାତ୍ରଛାତ୍ରୀଙ୍କର ବିଶେଷ ଅସୁବିଧା ହେଉଛି ଏବଂ ଓଜେଇଇ ପକ୍ଷରୁ ଆବଶ୍ୟକୀୟ ବିଜ୍ଞାପନ କରାଯାଉନଥିବାର ଅଭିଯୋଗ କରିଛି ବେସରକାରୀ ଇଂଜିନିୟରିଂ କଲେଜ ସଂଘ । ଅନ୍ୟପଟେ ଇଂଜିନିୟରିଂ କଲେଜ ଗୁଡିକରେ ମୂଲ୍ୟ ବୋଧଯୁକ୍ତ ଶିକ୍ଷା ଓ କ୍ୟାମ୍ପସର ସୁବିଧା ନଥିବାରୁ ଛାତ୍ରଛାତ୍ରୀମାନେ ଇଂଜିନିୟରିଂ ପ୍ରତି ବିମୁଖ ହେଉଛନ୍ତି ବୋଲି ମତ ରଖିଛନ୍ତି ଶିକ୍ଷାବିତ୍ ।

୨୦୧୬ ଜେଇଇ ମେନ୍ ଲାଗି ୪୯ ହଜାର ଛାତ୍ରଛାତ୍ରୀ ପଂଜୀକରଣ କରିଥିଲେ । ୪୬ହଜାର ଫି ଦେଇଥିବା ବେଳେ ୪୨ ହଜାର ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ । କିନ୍ତୁ ଚଳିତ ବର୍ଷ ସିଟ୍ ପୂରଣ ହେବା ନେଇ ଆଶଙ୍କା ଦେଖାଦେଇଛି ।