ସୁନ୍ଦରୀ ବାଘୁଣୀର ମଣିଷ ଶିକାର ନେଇ ସନ୍ଦେହ ପ୍ରକାଶ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ : କହିଲେ,ବନିବିଭାଗ କହୁଛି ମହିଳାଙ୍କ ଦେହରେ ନାହିଁ ଆକ୍ରମଣର ଚିହ୍ନ

39

କନକ ବ୍ୟୁରୋ : ସାତକୋଶିଆରେ ବାଘୁଣୀର ମଣିଷ ଶିକାର ନେଇ ସନ୍ଦେହ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ମନ୍ତ୍ରୀଙ୍କ କହିବା ଅନୁସାରେ ଗାଁ ଲୋକ ଅଭିଯୋଗ କରିଛନ୍ତି, ଯେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି କିନ୍ତୁ ବନ ବିଭାଗର ସୂଚନା ଅନୁସାରେ ମହିଳାଙ୍କ ଦେହରେ ବାଘୁଣୀ ଆକ୍ରମଣର କୌଣସି ଚିହ୍ନ ନାହିଁ । ଯଦି ସୁନ୍ଦରୀ ମହିଳାଙ୍କୁ ମାରିଥାନ୍ତା ତେବେ ମହିଳାଙ୍କ ମୃତଦେହକୁ ସେଠାରେ ଛାଡିକି ଯାଇନଥାନ୍ତା । ତେବେ ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଚାଲିଥିବା ମନ୍ତ୍ରୀ କହିଛନ୍ତି । ସେପଟେ ସୁନ୍ଦରୀକୁ ମଧ୍ୟପ୍ରଦେଶ ବାନ୍ଧବଗଡ଼କୁ ଫେରାଇ ନେବା ନେଇ ନିଷ୍ପତି ହୋଇନଥିବା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି । ବୁଧବାର ସୁନ୍ଦରୀ ଜଣେ ମହିଳାଙ୍କୁ ମାରିଦେବା ଅଭିଯୋଗ ପରେ ଉତ୍ତ୍ୟକ୍ତ ହୋଇପଡିଥିଲେ ସ୍ଥାନୀୟ ଲୋକ ।

 

ଗତକାଲି ଦିନତମାମ ଉତ୍ତେଜନା ଜାରି ରହିଥିଲା । ସେପଟେ ମୃତକଙ୍କ ପରିବାରକୁ ୪ଲକ୍ଷ ୬୦ହଜାର ଟଙ୍କାର କ୍ଷତି ପୂରଣ ଦେବାକୁ ନିଷ୍ପତି ନେଇଛନ୍ତି ସରକାର ଏବଂ ମୃତକଙ୍କ ପୁଅକୁ ଚାକିରି ଦେବେ ବୋଲି ନିଷ୍ପତି ନେଇଛନ୍ତି । ସାତକୋଶିଆକୁ ମହାବଳ ମହାବୀର ଆସିବା ପରେ ବଂଶବୃଦ୍ଧି ପାଇଁ ସୁନ୍ଦରୀ ବାଘୁଣୀକୁ ଅଣା ଯାଇଥିଲା । କିନ୍ତୁ ଜନବସତିକୁ ସୁନ୍ଦରୀ ପଶି ଆସିବା ସହ ପ୍ରଥମେ ବାଛୁରୀକୁ ଆକ୍ରମଣ କରି ମାରିଥିଲା । ତାପରେ ଛେଳି ଚରାଇବା ପାଇଁ ଯାଇଥିବା ଜଣେ ମହିଳାକୁ ମାରି ଦେଇଥିବା ଖବର ଆସିବା ପରେ ପରିସ୍ଥିତି ଅଣାୟତ ହୋଇଥିଲା । ତେବେ ସୁନ୍ଦରୀ ମଧ୍ୟପ୍ରଦେଶ କେଉଁ ସମୟରେ ଯିବ ତାହାର ସମୟ ଧାର୍ଯ୍ୟର କୈାଣସି ସୂଚନା ମିଳିନାହିଁ । ଗ୍ରାମରେ ବର୍ତ୍ତମାନ ସମୟରେ ଲୋକମାନେ ଡରିକି ରହିଛନ୍ତି । କାରଣ କେତେବେଳେ ବି ଗ୍ରାମରେ ବାଘ ପସିପାରେ । ତେବେ ଗ୍ରାମବାସୀମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଥିବା ସୂଚନା ମିଳିଛି ।