ବିରୋଧୀ ନେତାଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା। କହିଲେ, ବିଲରେ ଚାଷ କାମରେ ଲାଗିଛୁ, ୨୦୨୪ରେ ଫସଲ ଅମଳ କରିବୁ

99

କନକ ବ୍ୟୁରୋ:  ଦିଲ୍ଲୀରୁ ଫେରିବା ପରେ ବିରୋଧୀ ଦଳ ନେତାଙ୍କ ି ବୟାନ ଏବେ ଚର୍ଚ୍ଚା ପାଇଁ ଖୋରାକ୍ ଯୋଗାଇଛି । ବିଜେପିର ଫାୟାର ବ୍ରିଗେଡ ନେତା କୁହାଯାଉଥିବା ଜୟନାରାୟଣ ମିଶ୍ର ଦମ୍ଭୋକ୍ତି କରିଛନ୍ତି ଓଡିଶାରେ ୨୦୨୪ରେ ପଦ୍ମ ଫୁଟିବ । ଆଉ ଦମ୍ଭୋକ୍ତି ପଛରେ ରହିଛି ଦିଲ୍ଲୀରେ ବିଜେପିର ଚାଣକ୍ୟ ଅମିତ ଶାହା ଓ ବିଜେପି ଜାତୀୟ ସଭାପତି ଜେ.ପି. ନଡ୍ଡାଙ୍କ ସହ ଭେଟଘାଟ । ଦିଲ୍ଲୀରେ ଉଭୟ ନେତାଙ୍କ ସହ ଜୟନାରାୟଣ ମିଶ୍ର ଭେଟି ପ୍ରାୟ ୧ ଘଣ୍ଟା ଧରି ଦଳର ସ୍ଥିତି ନେଇ ଆଲୋଚନା କରିଛନ୍ତି । ଜୟନାରାୟଣ ଦିଲ୍ଲୀରୁ ଫେରିଥିବାବେଳେ ଓଡିଶା ଆସୁଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଚଳିତ ମାସ ଶେଷରେ ଜେପି ନଡ୍ଡା ଆସିବା ପୂର୍ବର ସୁନୀଲ ସଙ୍ଗଠନ ସମ୍ପର୍କରେ ଆଲୋଚନା କରିବେ । ଆଉ ବିଜେପିର ଏହି ପ୍ରସ୍ତୁତିକୁ ନେଇ ତେରଛା ବାଣ ମାରିଛି ବିଜେଡି ।

୨୦୨୪ରେ ବିଜେଡିକୁ ଚେକ୍ ଦେବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଥିବାବେଳେ ବିଜେଡି ବି ଏଥିରେ ପଛରେ ପଡିନାହିଁ । ଦଳର ଫୋକସରେ ୧୪୭ ନିର୍ବାଚନ ମଣ୍ଡଳୀ ରହିଛି ।  ଆଉ ଏହି ସବୁ ନିର୍ବାଚନମଣ୍ଡଳୀରେ  ପ୍ରଶିକ୍ଷଣ ଶିବିର କରାଯିବ, ଯେଉଁଠି ଯୁବ , ଛାତ୍ର ଓ ନିର୍ବାଚିତ ପ୍ରତିନିଧିଙ୍କୁ ଟ୍ରେନିଂ ଦିଆଯିବ । ବୁଧବାରଠାରୁ ଏହି କାର୍ଯ୍ୟକ୍ରମ ହେବାକୁ ଯାଉଛି । ପ୍ରଥମ ଦିନରେ ଧର୍ମଶାଳାରେ ଏହି କାର୍ଯ୍ୟକ୍ରମ ହେଉଛି । ପ୍ରତ୍ୟେକ ପଞ୍ଚାୟତ ଜଗିବେ ଯୁବ ଓ ଛାତ୍ର ନେତା ।

୨୦୨୪ ନିର୍ବାଚନ ପାଇଁ ବିଜେଡି-ବିଜେପି ରଣନୀତି ପ୍ରସ୍ତୁତିରେ ଲାଗିପଡିଛନ୍ତି । ଆଉ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ କଂଗ୍ରେସ କରିବାକୁ ଯାଉଛି ଭାରତ –ଯୋଡ ଯାତ୍ରା । ଯାହା ରାଜ୍ୟ ରାଜନୀତିକୁ ସରଗରମ କରିଛି।