ଶ୍ରାବଣରେ ଶୁଖିଲା ପଡିଛି ଜମି : ଅଳ୍ପ ବର୍ଷାକୁ ଛାଡି ଦେଲେ ମୌସୁମୀରେ ଦେଖାନାହିଁ ; ଖରିଫ ଧାନ ଚାଷ ନେଇ ଚିନ୍ତାର ଚାଷୀ, ପାଣି ଅଭାବରୁ ସୋନପୁରରେ ହୋଇପାରୁନି ଧାନ ରୁଆ କି ବେଉଷଣ

138

କନକ ବ୍ୟୁରୋ : ଶ୍ରାବଣରେ ଶୁଖିଲା ପଡିଛି ଜମି । କାଁ ଭାଁ ଲଘୁଚାପ ବର୍ଷାକୁ ଛାଡି ଦେଲେ ମୌସୁମୀରେ ଦେଖାନାହିଁ । ନିଅଣ୍ଟିଆ ବର୍ଷା ଯୋଗୁଁ ଜମି ଫାଟି ଆଁ କରିଥିବା ବେଳେ ଧାନ ଫସଲ ଉଜୁଡିଗଲାଣି । ଗଜା ମରୁଡିର ଭୟ ଚାଷୀର ଚିନ୍ତା ବଢାଇ ଦେଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବର୍ଷାର ପରିମାଣ କମ୍ ରହିଥିବାରୁ ଫସଲ ହେବା କଷ୍ଟକର ହୋଇଯାଇଛି । ଋଣ କରି ଚାଷ କରୁଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛି । କେମିତି ଜମିକୁ ପାଣି ଆସିବ, ଏବେ ସେହି ଚିନ୍ତା ଘାରିଛି ଚାଷୀକୁ ।

ବର୍ଷା ନାହିଁ, ପାଣି ନାହିଁ । ଶୁଖିଲା ପଡିଛି ଧାନ ବିଲ । ପ୍ରଥମ ବର୍ଷାରେ ଚାଷୀ ବୁଣିଥିବା ଧାନ ବେଉଷଣ ହୋଇପାରୁନି, କାଦୁଅ ହୋଇନଥିବାରୁ ରୁଆ କାମ ବି ଆଗେଇ ପାରୁନି । ଜମି ଫାଟି ଆଁ କରିଥିବା ବେଳେ ଫସଲର ସବୁ ଆଶା ମଉଳି ଯାଇଛି । ଧାନ ତଳି ବଂଚାଇବା ପାଇଁ ଭଡାରେ ପମ୍ପ ଆଣି ପାଣି ମଡାଉଛନ୍ତି ଚାଷୀ । ଏଭଳି ସ୍ଥିତିରେ କେମିତି ହେବ ଖରିଫ ଧାନ ଚାଷ । ପାଣି ଅଭାବରୁ ସୁବର୍ଣ୍ଣପୁରରେ ଧାନ ରୁଆ କି ବେଉଶଣ ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।