ବିଦେଶୀ କନିଆକୁ ଦେଶୀ ବର : କନ୍ଧମାଳ ବୋହୁ ସାଜିଲେ ସ୍ୱିଡେନର ଝିଅ । ଗୋଆ ହୋଟେଲର ପ୍ରେମ ଫୁଲବାଣୀରେ ନେଲା ବିବାହର ରୂପ

352

କନକ ବ୍ୟୁରୋ : ଫୁଲବାଣୀରେ ଦେଖିବାକୁ ମିଳିଛି ଏକ ବିରଳ ବିବାହ । ବିଦେଶୀ କନିଆକୁ ଦେଶୀ ବର । ଫୁଲବାଣୀରେ ଜମିଲା ବାହାଘର । କନ୍ଧମାଳ ବୋହୁ ସାଜିଲେ ସ୍ୱିଡେନର ଝିଅ । କନ୍ଧମାଳର ଏମଡି. ରିଆଜଙ୍କୁ ପ୍ରେମ ବିବାହ କରିଛନ୍ତି ସ୍ୱିଡେନର ଝିଅ ହେମା । ଗୋଆ ହୋଟେଲର ପ୍ରେମ ଫୁଲବାଣୀରେ ବିବାହର ରୂପ ନେଇଛି । ଫୁଲବାଣୀ ହନୁମାନ ମନ୍ଦିର ସାହିରେ ଜଣେ ମୁସଲମାନ ଯୁବକଙ୍କୁ ସାତ ଦରିଆ ପାରି ସ୍ୱିଡେନର ଝିଅ ଆସି ମୁସଲିମ୍ ରୀତିନୀତିରେ ବିବାହ କରିଛନ୍ତି । ଏଥିରେ ସବୁ ବର୍ଗର ଲୋକ ସାମିଲ ହୋଇଛନ୍ତି । ସ୍ୱିଡେନର ହେମାଙ୍କ ପରିବାର ଲୋକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ସ୍ୱିଡେନରୁ ଆସିଥିବା ୪୦ରୁ ୫୦ ଲୋକ ଏମଡି. ରିଆଜଙ୍କ ବରଯାତ୍ରୀରେ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଗୋଆ ଯାଇ ସେଠାରେ ଏକ ହୋଟେଲରେ କାମ କରୁଥିଲେ ଏମଡି. ରିଆଜ । ୨୦୧୨ରେ ଗୋଆ ଭ୍ରମଣରେ ଆସିଥିବା ଇମାମଙ୍କ ସାକ୍ଷାତ ରିଆଜଙ୍କ ସହ ହୋଇଥିଲା । ମୋବାଇଲ ଜରିଆରେ କଥାବାର୍ତ୍ତା ହୋଇ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ରିଆଜ ସ୍ୱିଡେନ ଯାଇଛନ୍ତି ଓ ସେଠାକାର ଭାଷା ମଧ୍ୟ ଶିଖିଛନ୍ତି ।

ଏହି ବିବାହ ପାଇଁ ଦୁଇ ଦିନ ପୂର୍ବରୁ ଫୁଲବାଣୀକୁ ଆସିଥିଲେ ଇମାମ । ଗତକାଲି ବର ଘରେ ଏହି ବିବାହ ଅନୁଷ୍ଠିତ ହୋଇଯାଇଛି । ବାହାଘର ପରେ ପ୍ରୋସେସନରେ କନ୍ୟା ପକ୍ଷର ସମସ୍ତେ ସମ୍ବଲପୁରୀ ଗୀତ ତାଳେ ତାଳେ ନାଚି ଫୁଲବାଣୀ ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।