ସେଲ୍ଫି ହେଲା କାଳ ! ଭୀମକୁଣ୍ଡରେ ଭାସିଗଲେ ଯୁକ୍ତ ଦୁଇ ଛାତ୍ର

223

କନକ ବ୍ୟୁରୋ : ସାଧରଣତଃ କହିବାକୁ ଗଲେ ବର୍ତ୍ତମାନ ସେଲ୍ଫି ନେବା ଲୋକମାନଙ୍କ ପାଇଁ ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଗଲାଣି । ଯେଉଁଠି ଦେଖିଲେ ସେଇଠି ସେଲ୍ଫି, ଯିଏ ପାରିଲା ସିଏ ନେଲା ସେଲ୍ଫି । ତେବେ ମୋଟ ଉପରେ କହିବାକୁ ଗଲେ ସବୁ ସେଲ୍ଫି ମାୟାରେ ବାୟା । ସେଲ୍ଫି କିପରି ପ୍ରାଣଘାତୀ ହୋଇପାରେ, ପୁଣି ଥରେ ସେହି ଚିତ୍ର ସାମନାକୁ ଆସିଛି ।

ସେଲ୍ଫି ଉଠାଇବାର ନିଶା ପୁଣି ଏକ ଜୀବନକୁ ଅନ୍ଧକାର ଭିତରକୁ ଠେଲିନେଇଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ର ଭୀମକୁଣ୍ଡରେ ଆଜି ଜଣେ ଯୁକ୍ତ ୨ ଛାତ୍ର ବୁଡ଼ିଯାଇଛନ୍ତି । ନିଖୋଜ ଛାତ୍ରଙ୍କ ନାମ ରୋହନ କୁମାର ମିଶ୍ର (୧୮ )। ସେ କଟକ ମଧୁପାଟଣାର ଏକ ଘରୋଇ ସ୍କୁଲ୍‌ରେ ଯୁକ୍ତ ୨ ବିଜ୍ଞାନ ପଢ଼ୁଥିଲେ । ତାଙ୍କ ଘର କଟକ, ମଧୁପାଟଣା ଥାନା ନୂଆପଡ଼ା ଲେବର କଲୋନିରେ ବୋଲି ଜଣାପଡ଼ିଛି ।

ସଂପୃକ୍ତ ଘରୋଇ ଶିକ୍ଷାନୁଷ୍ଠାନରୁ ୨୯ ଛାତ୍ରଛାତ୍ରୀ ଓ ୮ ଜଣ କର୍ମଚାର ମିଶି ଏକ ବସ୍‌ରେ ପିକ୍‌ନିକ୍‌ ପାଇଁ ଏଠାକୁ ଆସିଥିଲେ । ସମସ୍ତେ ମଉଜମସ୍ତି କରୁଥିଲାବେଳେ ପ୍ରଥମ କୁଣ୍ଡ ନିକଟରେ ରୋହନ ସେଲ୍ଫି ନେଉଥିଲେ । ଏକ ପଥର ଉପରେ ସେ ଛିଡ଼ାହୋଇଥିଲେ । ପଥର ଖସିଯିବାରୁ ପାଣି ସୁଅରେ ପଡ଼ିଯାଇଥିଲେ । ୫୦ ଫୁଟ ଦୂରଯାଏ ସେ ଭାସୁଥିବା ଦେଖାଯାଉଥିଲା । ହେଲେ କେହି ଉଦ୍ଧାର କରିବାକୁ ସକ୍ଷମ ହୋଇନଥିଲେ । ସେଲ୍ଫି ନେଲାବେଳେ ତାଙ୍କ ଭାଇ ଥିଲେ ମଧ୍ୟ କିଛି କରିପାରିନଥିଲେ । ଶେଷରେ ଭାସିଭାସି ଯାଇ ସେ ମୁଖ୍ୟ କୁଣ୍ଡରେ ପଡ଼ି ନିଖୋଜ ହୋଇଯାଇଥିଲେ । ଖବର ପାଇ ପାଟଣା ଅଗ୍ନିଶମ ଅଧିକାରୀ ମନୋରଂଜନ ମହାନ୍ତଙ୍କ ନେତୃତ୍ବରେ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇନାହାନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ ପହଞ୍ଚି ନଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ, ଏହି ଘଟଣା ପରେ ଭୀମକୁଣ୍ଡର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କେବଳ ମକର ସଂକ୍ରାନ୍ତିରେ ଲୋକଙ୍କ ସୁରକ୍ଷା ପାଇଁ ଏଠାରେ ପୁଲିସ୍‌ ଜଗି ରହିଥା’ନ୍ତି । ଯଦିଓ ବର୍ଷତମାମ ଏଠାକୁ ପର‌୍ୟ୍ୟଟକମାନେ ଆସୁଛନ୍ତି, ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ । ଫଳରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟିଚାଲିଛି । ଗତ ୫ ବର୍ଷ ଭିତରେ ପାଖାପାଖି ୧୫ ଜଣ ଭୀମକୁଣ୍ଡରେ ପଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି ।