କନକ ବ୍ୟୁରୋ: ଶ୍ରୀମନ୍ଦିର ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଗଜପତି ମହାରାଜ । ବିଭ୍ରାଟ ପାଇଁ ସେ ପରୋକ୍ଷରେ ସରକାରଙ୍କୁ ଦାୟି କରିଛନ୍ତି । ଗଣମାଧ୍ୟମ ଆଗରେ କହିଛନ୍ତି ବର୍ତମାନର ଶାସକଙ୍କ ଯୋଗୁଁ ଧର୍ମ ଅବକ୍ଷୟ ମୁଖୀ ହେଉଛି । କାରଣ ସେମାନେ ଧର୍ମ ରକ୍ଷାକୁ ନିଜ ଦାୟିତ୍ୱ ବୋଲି ଭାବୁ ନାହାନ୍ତି ।
ଯଦି ଏପରି ଚାଲେ ତେବେ ଧର୍ମର ପ୍ରଚାର ପ୍ରସାର କିଏ କରିବ ବୋଲି ପ୍ରଶ୍ନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । କିଛି ମୁଷ୍ଟିମେୟ ସଂସ୍ଥା ଯୋଗୁଁ ଜଗନ୍ନାଥ ଚେତନା ଦୀପ ପ୍ରଜ୍ଜଳ୍ୱିତ ହୋଇ ରହିଛି । ଗଜପତିମାନେ ଜଗନ୍ନାଥ ମନ୍ଦିର ପରିଚାଳନା ଓ ଧର୍ମକୁ ନିଜର ରାଜଧର୍ମ ପରି ପାଳନ କରୁଥିଲେ । ତେଣୁ ବର୍ତମାନ ସରକାର ଶ୍ରୀମନ୍ଦିର ପରିଚାଳନାକୁ ନିଜର ପ୍ରାଥମିକତା ଯୋଜନାରେ ସାମିଲ କରିବା ଦରକାର ବୋଲି କହିଛନ୍ତି ଗଜପତି ମହାରାଜ ।
ଅନ୍ୟପଟେ, ଗତକାଲି ଶ୍ରୀମନ୍ଦିରରେ ହୋଇଥିବା ବିଶୃଙ୍ଖଳାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗତକାଲିର ଘଟଣା ଦୁଃଖଦ ଓ ଏଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର । ଏଥିସହ ସେ କହିଛନ୍ତି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେବାୟତଙ୍କ ଦାହି ଗ୍ରହଣ ଯୋଗ୍ୟ ନୁହେଁ । ଏହି ପ୍ରସଙ୍ଗ ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକରେ ଉଠାଇ ଆଲୋଚନା କରିଯିବ । ସେବାୟତମାନେ ମନ୍ଦିର ପ୍ରଶାସନର କଥା ଶୁଣୁ ନାହାନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।