ମହଙ୍ଗା ପଡିଲା ବଲ ଟାମ୍ପରିଂ ! ୧ବର୍ଷ ପାଇଁ ସ୍ମିଥ, ୱାର୍ନରଙ୍କୁ ଦଳରୁ ବିଦା କଲା ଅଷ୍ଟ୍ରେଲିଆ 

53

ମହଙ୍ଗା ପଡିଲା ବଲ ଟାମ୍ପରିଂ । ୧ ବର୍ଷ ପାଇଁ ଅଷ୍ଟ୍ରେଲିଆ ଦଳରୁ ବିଦା ହେଲେ ଷ୍ଟିଭ୍ ସ୍ମିଥ ଏବଂ ଡେଭିଡ ୱାର୍ନର । ଏହା ସହ କେମରନ ବେନକ୍ରାଫ୍ଟଙ୍କ ଉପରେ ୯ ମାସର ପ୍ରତିବନ୍ଧକ ଲଗାଯାଇଛି । କିନ୍ତୁ ବିଶ୍ୱକପ ଖେଳିବା ନେଇ ଏହି ଖେଳାଳୀମାନଙ୍କ ଉପରେ ଆଶଙ୍କା ନାହିଁ । ବିଶ୍ୱକପ ୩୦ ମେ ୨୦୧୯ ରୁ ଆରମ୍ଭ ହେବ । ଯାହା ପୂର୍ବରୁ ଏହି ସମସ୍ତ ଖେଳାଳୀଙ୍କ ଉପରୁ ପ୍ରତିବନ୍ଧକ ହଟି ସାରିଥିବ ।

କ୍ରିକେଟ ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତି ପରେ ଏବେ ଏହି ଦୁଇ ପ୍ରମୁଖ ଖେଳାଳୀଙ୍କୁ ଚଳିତ ଆଇପିଏଲରୁ ବିଦା କରିଛି ବିସିସିଆଇ । ସେମାନଙ୍କ ଜାଗାରେ ଅନ୍ୟ ଦୁଇ ଜଣ ଖେଳାଳୀଙ୍କୁ ଦଳରେ ସାମିଲ କରାଯିବ । ଚଳିତ ଆଇପିଏଲରୁ ଏହି ଦୁଇ ଖେଳାଳୀଙ୍କ ବାସନ୍ଦ ନେଇ ସୂଚନା ଦେଇଛନ୍ତି ଆଇପିଏଲ କମିଶନର ରାଜୀବ ଶୁକ୍ଲା । ରାଜୀବ ଶୁକ୍ଳା କହିଛନ୍ତି ଯେ, ଖୁବ ଶୀଘ୍ର ରାଜସ୍ଥାନ ରୟାଲ୍ସ ଏବଂ ସନ ରାଇଜର୍ସ ହାଇଦ୍ରାବାଦକୁ ଷ୍ଟିଭ୍ ସ୍ମିଥ ଏବଂ ଡେଭିଡ ୱାର୍ନରଙ୍କ ବଦଳ ଖେଳାଳୀ ଦିଆଯିବ । ଅଷ୍ଟ୍ରେଲିଆ ଟିମ କୋଚ ଡେରେନ ଲିମ୍ୟାନଙ୍କୁ ଏହି ମାମଲାରେ କ୍ଲିନ ଚିଟ୍ ଦେଇଛି କ୍ରିକେଟ ଅଷ୍ଟ୍ରେଲିଆ ।

ସେପଟେ କ୍ରିକେଟ ଅଷ୍ଟ୍ରେଲିଆ ଏହି ତିନି ଖେଳାଳୀଙ୍କୁ ଦକ୍ଷିଣଆଫ୍ରିକା ଗସ୍ତରୁ ଅଷ୍ଟ୍ରେଲିଆ ପଠାଇ ଦେଇଛି । ତିନି ଜଣ ଖେଳାଳୀ ଅଷ୍ଟ୍ରେଲିଆ ଫେରି ଆସିଛନ୍ତି ।

ଏହା ଥିଲା ବଲ ଟାମ୍ପରିଂର ପୁରା ଘଟଣା :

କେପଟାଉନରେ ଦକ୍ଷିଣଆଫ୍ରିକା ବିରୋଧରେ ତୃତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଅଷ୍ଟ୍ରେଲିଆର ଓପନର କେମରନ୍ ବେନକ୍ରାଫ୍ଟ ବଲ ଟାମ୍ପରିଂ କରୁଥିବା ବେଳେ ଧରାପଡିଥିଲେ । ମ୍ୟାଚ ଚାଲିଥିବା ସମୟରେ ବେନକ୍ରାଫ୍ଟ ନିଜ ଟ୍ରାଉଜରରୁ ଏକ ହଳଦିଆ ରଙ୍ଗର ବସ୍ତୁ କାଢୁଥିବାର ଦେଖା ଯାଇଥିଲା । ଏହି ଘଟଣା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ୍ ବଲ ଟାମ୍ପରିଂ କରାଯାଇଥିବା ଘଟଣାକୁ ସ୍ୱୀକାର କରିଥିଲେ ।

ଏହି ଘଟଣାର କିଛି ଘଣ୍ଟା ପରେ ଅଷ୍ଟ୍ରେଲିଆ ସରକାର ସ୍ମିଥଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କ୍ରିକ୍ ଇନଫୋ ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମେଲକମ୍ ଟର୍ନବୁଲ ମଧ୍ୟ ଏହି ଘଟଣାକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ନିରାଶଜନକ ବୋଲି କହିଥିଲେ । ଏହି ଘଟଣାରେ ସେ ନିରାଶ ହୋଇଥିବା କହିଥିଲେ । ଏହା ବିଶ୍ୱାସର ଅତ୍ୟନ୍ତ ବାହାରେ ଯେ, ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ଏହି ଫ୍ରଡରେ ସାମିଲ ଅଛି ।