ପାଖରେ ନାହିଁ ଘର, ପରିଚୟ ପତ୍ର ! ୨୩ ବର୍ଷ ପରେ ଏହି ବ୍ୟକ୍ତି ଦୁବାଇରୁ ଫେରିବେ ଭାରତ

37

୫୨ ବର୍ଷୀୟ ଭାରତୀୟ ଗନା ପ୍ରକାଶମ୍ ରାଜାମରିୟନ୍ । ୧୯୯୪ରେ ସାଉଦି ଆରବର ଏକ ସୁଦୂର ଅଂଚଳ ହେଲ୍ ପ୍ରଦେଶକୁ କୃଷି ଶ୍ରମିକ ଭାବେ ଯାଇଥିଲେ । ତାମିଲନାଡୁର କନ୍ୟାକୁମାରୀର ଏହି ବାସିନ୍ଦା ଜଣକ ସେହିଦିନ ଠାରୁ ଭାରତ ଫେରି ପାରିନାହାଁନ୍ତି । ସାଉଦି ଆରବରେ ୨୩ ବର୍ଷ ହେଲା ବେଆଇନ ଭାବେ ରହୁଛନ୍ତି ରାଜାମରିୟନ ।

ଦୁବାଇର ମିଡିଆ ରିପୋର୍ଟ ଅନୁସାରେ ଏବେ ଖୁବ୍ ଶୀଘ୍ର ସ୍ୱଦେଶ ଫେରିବେ ରାଜାମରିୟନ । ୯୦ ଦିନର ସାଧାରଣ କ୍ଷମା ପୂରଣ କରିସାରିଛନ୍ତି ସେ । ରାଜାମରିୟନଙ୍କ ଘଟଣା ଥିଲା କିଛି ଭିନ୍ନ । ସାଉଦି ଆରବକୁ ଗଲା ପରେ ମାଲିକଙ୍କ ଦରମା ଦେବାରେ ଅବହେଳାର ଶିକାର ହୋଇଥିଲେ । ପ୍ରଥମ ୬ମାସରେ ତାଙ୍କୁ କେବଳ ମାସିକ ୧୦୦ସାଉଦି ରିୟାଲ୍ ମଜୁରୀ ଭାବେ ଦେଉଥିଲେ । ଏହାପରେ ତାଙ୍କୁ ଆଉ ଜଣେ ଲୋକଙ୍କ ପାଖକୁ ପଠାଇଦିଆଗଲା । ଏହାର କିଛି ମାସ ପରେ ପୁଣି ଆଉ ଜଣେ ଲୋକ ପାଖକୁ ପଠାଗଲା । ‘ସାଉଦି ଗ୍ୟାଜେଟ୍’ ଅନୁଯାୟୀ ରାଜାମରିୟନ ଏହିପରି ଭାବେ ୨୩ ବର୍ଷ ସାଉଦି ଆରବରେ କାଟିଥିଲେ । ଏହି ସମୟରେ ତାଙ୍କୁ ଥରେ ବି ଭାରତକୁ ଆସିବାକୁ ସୁଯୋଗ ମିଳିନି । ପ୍ରକାଶିତ ଖବର ଅନୁଯାୟୀ ରାଜାମରିୟନ କହିଛନ୍ତି , ତିନି ନିଯୁକ୍ତିକର୍ତ୍ତାଙ୍କ ମଧ୍ୟରେ କିଏ ତାଙ୍କର ପ୍ରାୟୋଜକ ଥିଲେ ସେ ଜାଣିନାହାଁନ୍ତି । କେହି ବି ତାଙ୍କୁ ପୁରା ଦରମା ଦେଇନଥିଲେ । ଏହାପରେ ସେ ଭାରତ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଜୀବନର ଅଧା ସମୟ କଟିଯାଇଛି ବିଦେଶରେ । ସେଠାରୁ ପଠାଇଥିବା ଅର୍ଥରାଶିରେ ତିନି ଝିଅଙ୍କର ବାହାଘର ସରିଛି । ଏବେ ତାଙ୍କ ପାଖରେ ଘର , ଭୋଟର ପରିଚୟ ପତ୍ର ଓ ଆଧାର କାର୍ଡ କିଛି ନାହିଁ । ୨୦୧୫ରେ ନିଜ ପତ୍ନୀଙ୍କ ସହ ଥରେ କଥା ହୋଇଥିଲେ । ତା’ର ବର୍ଷକ ପରେ ସେ ବାକ୍ ଶକ୍ତି ହରାଇଥିଲେ ଓ ମୃତ୍ୟୁ ହୋଇଯାଇଥିଲା । ଏବେ ଦୀର୍ଘ ପରେ ସେ ଭାରତ ଫେରିବେ ବୋଲି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି  ।

(ସୈାଜନ୍ୟ – ଟାଇମ୍ସ ଅଫ୍ ଇଣ୍ଡିଆ )

ଏହାସହ ମଧ୍ୟ ପଢନ୍ତୁ – ଗଙ୍ଗାଘାଟର ଚଟାଣରେ ରୁଟି ସେକିଲେ ଲୋକେ ! ବନାରସରେ ପ୍ରବଳ ତାତିର ପ୍ରଭାବ