ଥାନାକୁ ଅନାଇ ରହିବ ତୃତୀୟ ଆଖି । ଥାର୍ଡ ଡିଗ୍ରୀ କିମ୍ବା ଲାଞ୍ଚ କାରବାର ହେଲେ ଡିଜିପି ଅଫିସରେ ବାଜିବ ସାଇରନ ।

253

କନକ ବ୍ୟୁରୋ : ଥାନାରେ ଅଭିଯୁକ୍ତ କିମ୍ବା ସନ୍ଦିଗ୍ଧଙ୍କୁ ପୁଲିସ୍‌ ଥାର୍ଡ ଡିଗ୍ରୀ  ପ୍ରୟୋଗ କଲେ ବାଜିବ ସାଇରନ୍। ଖାଲି ନିର୍ୟାତନା ନୁହେଁ, ଟଙ୍କା କିମ୍ବା ଲାଞ୍ଚ କାରବାର ହେଲେ ବି ସାଇରନ୍ ବାଜିବ। ଏସବୁ ସମ୍ଭବ ହେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ)ଯୁକ୍ତ ଅତ୍ୟାଧୁନିକ କ୍ୟାମେରା ମାଧ୍ୟମରେ। ଓଡ଼ିଶା କମ୍ପ୍ୟୁଟର୍‌ ଆପ୍ଲିକେସନ୍ ସେଣ୍ଟର(ଓକାକ୍) ଦ୍ବାରା ପ୍ରସ୍ତୁତ ସ୍ୱତନ୍ତ୍ର ସଫ୍ଟୱେୟାରରେ ଏହି କ୍ୟାମେରା ପରିଚାଳିତ ହେବ। ପୁଲିସ ମୁଖ୍ୟାଳୟରେ କମାଣ୍ଡ ଓ କଣ୍ଟ୍ରୋଲ ରୁମ୍ ଦ୍ବାରା ପରିଚାଳିତ ହେବ।

ମିଳିଥିବା ସୂଚନା ଅନୁସାରେ, ଥାନାଗୁଡ଼ିକରେ ପୂର୍ବରୁ ସିସିଟିଭି କ୍ୟାମେରା ଥିଲା। କେବଳ ହାଜତ, ଏହା ସଂଲଗ୍ନ ହଲ୍, ପ୍ରବେଶ ଦ୍ବାର ସମେତ କେତେକ ହାତଗଣତି ସ୍ଥାନରେ ରହିଥିଲା। ଥାନାର ସମସ୍ତ ଅଞ୍ଚଳ ଏହି କ୍ୟାମେରାରେ ଦୃଶ୍ୟମାନ ହେଉ ନଥିଲା। ସେହିପରି ଥାନାରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ସହ ଆଇଆଇସିଙ୍କ ପ୍ରକୋଷ୍ଠରେ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଗତବର୍ଷ ଏପ୍ରିଲରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଥାନାରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ଏହା କରାଯାଉଥିବା କୁହାଯାଇଛି। ଥାନାର ପ୍ରବେଶ ଓ ପ୍ରସ୍ଥାନ ପଥ, ସମସ୍ତ ଫାଟକ, ହାଜତ, କରିଡର୍, ରିସେପସନ୍ ଅଞ୍ଚଳ, ଆଇଆଇସିଙ୍କ ରୁମ୍ ସମତେ ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ।

ଯେମିତି କୌଣସି ସ୍ଥାନ ବାଦ୍ ନ ପଡ଼ିବ, ତାହା ଉପରେ ଦୃଷ୍ଟି ରଖାଯିବ। କେବଳ ଥାନା ଭିତରେ ଏହାର ପରିଚାଳନା ରହିବ ନାହିଁ। ଜିଲ୍ଲା ଏସପି, ଡିସିପି ଓ ଆବଶ୍ୟକ ପଡ଼ିଲେ, ଡିଜିପି ନିଜେ ଅନୁଧ୍ୟାନ କରିପାରିବେ। ଡିଜିପିଙ୍କ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ଓ କମାଣ୍ଡ ରୁମ୍ ରହିବ ବୋଲି ଜଣାପଡ଼ିଛି। ହାଜତ ନିର୍ୟାତନା କିମ୍ବା ଅଭିଯୁକ୍ତଙ୍କ ସାଙ୍ଗରେ ଟଙ୍କା କାରବାର ହେଲେ କଣ୍ଟ୍ରୋଲ ରୁମରେ ସାଇରନ୍ ବାଜିବ।

କ୍ୟାମେରାରେ ଥିବା ସେନସର୍ ମାଧ୍ୟମରେ ଏହି ସାଇରନ୍ ବାଜିବ ବୋଲି ଜଣାପଡ଼ିଛି। ଟୁଇନ୍ ସିଟି କମିସନରେଟ୍ ପୁଲିସର ସମସ୍ତ ଥାନା ସମେତ ଖୋର୍ଦ୍ଧା, ପୁରୀ ଓ ଜଗତ୍‌ସିଂହପୁରରେ ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ୫୯୩ଥାନାରେ ଅତ୍ୟାଧୁନିକ କ୍ୟାମେରା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି।