ପୂରଣ ହେଲା ଦୀର୍ଘ ଦିନର ଦାବି । ଏଣିକି ଟ୍ରେନରେ କଟକରୁ ବାଙ୍ଗାଲୋର ଯିବାକୁ ମିଳିବ ସୁବିଧା । 

363

କନକ ବ୍ୟୁରୋ :  ଟ୍ରେନରେ ଏଣିକି କଟକରୁ ବାଙ୍ଗାଲୋର ଯିବାର ସୁବିଧା ମିଳିବ। ଏଥିପାଇଁ ଦୀର୍ଘ ଦିନରୁ ହୋଇ ଆସୁଥିବା ଦାବି ଶେଷରେ ପୂରଣ ହୋଇଛି। କଟକ ସହରବାସୀଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଦାବି ହୋଇ ଆସୁଥିବା ବେଳେ ସାଂସଦ ସୁବାସ ସିଂହ ଏ ପ୍ରସଙ୍ଗ ଗଲା ମାର୍ଚ୍ଚ ୧୯ ତାରିଖରେ ସଂସଦରେ ଉଠାଇଥିଲେ। ଶେଷରେ ଗଲା ୨୨ ତାରିଖ ଦିନ ଏ ସଂକ୍ରାନ୍ତରେ ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ଜୁଲାଇ ୩୧ ତାରିଖରୁ ଅଗରତାଲା ବାଙ୍ଗାଲୋର କ୍ୟାଣ୍ଟ୍ ସ୍ପେଶାଲ (ନଂ ୦୫୪୮୮) ଓ ବାଙ୍ଗାଲୋର କ୍ୟାଣ୍ଟ୍ ଅଗରତାଲା ସ୍ପେଶାଲ୍ (ନଂ ୦୫୪୮୭) ଦୁଇଟି ଟ୍ରେନ୍ କଟକ ‌ଷ୍ଟେସନ ଦେଇ ଚଳାଚଳ କରିବ। ଅଗରତାଲା ପଟୁ ଆସୁଥିବା ଟ୍ରେନ ସପ୍ତାହର ପ୍ରତ୍ୟେକ ଶନିବାର ଓ ବାଙ୍ଗାଲୋର ପଟୁ ଆସୁଥିବା ଟ୍ରେନ ପ୍ରତି ମଙ୍ଗଳବାର କଟକ ଷ୍ଟେସନ ଦେଇ ଯାତାୟତ କରିବ।

କଟକ ଷ୍ଟେସନରେ ଦୁଇଟି ଯାକ ଟ୍ରେନ ପାଇଁ ଦୁଇ ମିନିଟ୍ ରହଣି ବ୍ୟବସ୍ଥା କରାଯାଇଥିବା ବେଳେ ଟ୍ରେନ ୧୧ଟା ୪୩ରେ ପହଞ୍ଚି ୧୧ଟା ୪୫ରେ ଛାଡ଼ିବାର ସମୟ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। କଟକ ସହରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ତଥା ସମସ୍ୟା ସମାଧାନ ହୋଇଥିବାରୁ ସାଂସଦ ଶ୍ରୀ ସିଂହ ରେଳ ମନ୍ତ୍ରୀ ଅଶ୍ୱିନୀ  ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ପ୍ରଶାନ୍ତି ଏକ୍ସପ୍ରେସ୍ ଭୁବନେଶ୍ୱର ଷ୍ଟେସନରୁ ଛାଡୁଥିବା ବେଳେ ଭୋରୁ ଛାଡୁଥିବା ଏହି ଟ୍ରେନ ଧରିବା ପାଇଁ କଟକ ସହରବାସୀଙ୍କୁ ରାତି ଅଧରେ ଘରୁ ବାହାରିବାକୁ ପଡୁଥିଲା। ଏହି ଟ୍ରେନ୍ ଚଳାଚଳ ଫଳରେ ବାଙ୍ଗାଲୋରକୁ ଯାଉଥିବା ଓଡ଼ିଆ ବିଶେଷ ଭାବେ ଉପକୃତ ହେବେ ।