ପ୍ରଫେସରଙ୍କ ଅବସରପରେ ଖତ ଖାଉଛି ୧୨ କୋଟି ମୂଲ୍ୟର ଲିଭର ପ୍ରତିରୋପଣ ୟୁନିଟ । ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲିଭର ରୋଗୀ

ପ୍ରଫେସରଙ୍କ ଅବସରପରେ ଖତ ଖାଉଛି ୧୨ କୋଟି ମୂଲ୍ୟର ଲିଭର ପ୍ରତିରୋପଣ ୟୁନିଟ

92
କନକ ବ୍ୟୁରୋ : କୋଟିଏ କି ଦୁଇ କୋଟି ନୁହେଁ ୧୨କୋଟିର ଚିକିତ୍ସା ଉପକରଣ ୪ବର୍ଷ ହେଲା ଅବ୍ୟବହୃତ ହୋଇ ପଡି ରହିଛି। ଯୋଜନା ଥିଲା ଏସସିବି ମେଡିକାଲରେ ହେବ ପୂର୍ବଭାରତର ପ୍ରଥମ ଲିଭର ଟାନ୍ସପ୍ଲାଣ୍ଟ ୟୁନିଟ୍। ହେଲେ ତା’ ତ ହୋଇପାରିଲାନି, ବିଭାଗୀୟ ପ୍ରଫେସରଙ୍କ ଅବସରପରେ ଏହି ପ୍ରତ୍ୟାରୋପଣ କେନ୍ଦ୍ରର କାର୍ଯ୍ୟକାରିତା ବି ଅନିଶ୍ଚିତ ହୋଇ ପଡିଛି। ଏହି କେନ୍ଦ୍ରର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ଭିତ୍ତିଭୂମିର ଯାଂଚ କରିଥିଲେ। ଏହି ୟୁନିଟ୍ ପାଇଁ ସ୍ବତନ୍ତ୍ରଭାବେ ଡାକ୍ତର, ନିଶ୍ଚେତକଙ୍କୁ ତାଲିମ ଦିଆଯାଇଥିଲା। ଟ୍ରମା କେୟାର ୪ର୍ଥ ମହଲାରେ ଆଇସିୟୁ, ଓଟି , ବେଡ୍ ବ୍ୟବସ୍ଥା ବି ଦେଢ ବର୍ଷ ପୂର୍ବରୁ ହୋଇସାରିଛି। କିନ୍ତୁ ମଡୁଲାର ଓଟି ନିର୍ମାଣ ହୋଇପାରିନି।
ସୂଚନା ଅନୁସାରେ, ଏଥିପାଇଁ ୨୦୧୪-୧୫ରେ ୧୨କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉପକରଣ କିଣା ହୋଇଥିଲା। ଏହି ବିଭାଗର ବିଶେଷଜ୍ଞ ପ୍ରଫେସର ଡାକ୍ତର ମିହିର ମହାପାତ୍ର ୮ମାସ ପୂର୍ବରୁ ଅବସରଗ୍ରହଣ କରିସାରିଲେଣି। ବର୍ତ୍ତମାନ ଏହି ବିଭାଗ ଦାୟିତ୍ବରେ ସର୍ଜରୀ ବିଭାଗ ପ୍ରଫେସର ଡାକ୍ତର ବନ ବିହାରୀ ମିଶ୍ର ରହିଛନ୍ତି। ରାଜ୍ୟରେ ଲିଭର ପ୍ରତିରୋପଣ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ରୋଗୀ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଯାଉଥିବାରୁ ଲିଭର ପ୍ରତିରୋପଣ କେନ୍ଦ୍ର ପାଇଁ ୨୦୧୩ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେହି ବର୍ଷ ହିଁ ଏସସିବି ମେଡିକାଲ ଟ୍ରମା କେୟାର ୟୁନିଟ୍ ଚତୁର୍ଥ ମହଲାରେ ମଡୁଲାର ଓଟି, ଆଇସିୟୁ ନିର୍ମାଣ ପାଇଁ ଡିଏମ୍ଇଟି ନିର୍ଦ୍ଦେଶ ଦେଇଥିଲେ। ଏପରିକି ଲିଭର ପ୍ରତିରୋପଣ ୟୁନିଟ୍ ଓ ଏସସିବି ର ଅନ୍ୟାନ୍ୟ ବିଭାଗର ଉପକରଣ ପାଇଁ ସରକାର ୨୧କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ।
ସେଥିରୁ ୨୦୧୪ରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ପକ୍ଷରୁ ଲିଭର ପ୍ରତିରୋପଣ ସଂପର୍କୀତ ସମସ୍ତ ଉପକରଣ କିଣାଯାଇଥିଲା। ଅନ୍ୟପଟେ ଏସସିବିରେ ପ୍ରତିରୋପଣ ୟୁନିଟ୍ କାର୍ଯ୍ୟକ୍ଷମ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବା ପରେଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ହେପାଟୋଲୋଜି, ରେଡିଓଲୋଜି ତଥା ବିଭିନ୍ନ ବିଭାଗର ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମର ସଦସ୍ୟ ମଧ୍ୟ ଦିଲ୍ଲୀରୁ ପ୍ରଶିକ୍ଷଣ ନେଇ ସାରିଛନ୍ତି। କିନ୍ତୁ ଲିଭର ପ୍ରତିରୋପଣ କେନ୍ଦ୍ର ଅନିଶ୍ଚିତତା ଭିତରେ ପଡି ରହିଛି। ଅନ୍ୟପଟେ ଏ ସଂପର୍କରେ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଉଭୟ ଏସସିବି ଡ଼ିନ୍ ତଥା ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ଓ ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି।