ସମଲିଙ୍ଗୀ ବିବାହକୁ ଆଇନ ମାନ୍ୟତା ସପକ୍ଷରେ ନାହାନ୍ତି କେନ୍ଦ୍ର ସରକାର । ସୁପ୍ରିମକୋର୍ଟରେ ଦାଖଲ କଲେ ସତ୍ୟପାଠ । ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

79

କନକ ବ୍ୟୁରୋ: ସମଲିଙ୍ଗୀ ବିବାହକୁ କେନ୍ଦ୍ରର ନା’ । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ବିରୋଧ କରିଛନ୍ତି । ଏହା ଭାରତୀୟ ପରିବାର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ମୋଦୀ ସରକାର । ଏଥିସହିତ ସମଲିଙ୍ଗୀ ବିବାହକୁ ଭାରତୀୟ ବିବାହ ପରମ୍ପରା ସହିତ ତୁଳନା କରାଯାଇପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର ।

ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ

‘ବିବାହ କହିଲେ ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ମଧ୍ୟରେ ମିଳନ ଅପରିହାର୍ଯ୍ୟ ବୋଲି ବୁଝାଯାଏ । ଏହି ସଂଜ୍ଞା ସାମାଜିକ, ସାଂସ୍କୃତିକ ଓ ଆଇନଗତ ଭାବେ ବିବାହର ଅବଧାରଣା ହୋଇ ରହିଆସିଛି । ଏହାକୁ ନ୍ୟାୟିକ ବ୍ୟାଖ୍ୟା ଦ୍ୱାରା ବଦଳାଇବା ଉଚିତ ନୁହେଁ ।’ ଏ ହେଉଛି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କରିଥିବା ସତ୍ୟପାଠର ସାରାଂଶ । ଯେଉଁଥିରେ ସମଲିଙ୍ଗୀ ବିବାହକୁ ବିରୋଧ କରିଛି କେନ୍ଦ୍ର । ସୋମବାର ଦିନ ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ତେବେ ଦିନକ ପୂର୍ବରୁ ସତ୍ୟପାଠ ଦାଖଲ କରି ପୂର୍ବ ମତକୁ ଦୋହରାଇଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାର କହିଛନ୍ତି…

  • ‘ଭାରତୀୟ ପରିବାର’ରେ ସମଲିଙ୍ଗୀ ବିବାହ ସୁସଙ୍ଗତ ହେବନାହିଁ
  • ଭାରତୀୟ ପରିବାର କହିଲେ ‘ସ୍ୱାମୀ’ ଜଣେ ପୁରୁଷ, ‘ସ୍ତ୍ରୀ’ ଜଣେ ମହିଳା ଏବଂ ସେମାନଙ୍କ ମିଳନରେ ଜନ୍ମ ନେଉଥିବା ପିଲାମାନଙ୍କୁ ବୁଝାଏ
  • ସମଲିଙ୍ଗୀ ସଂପର୍କ ଆଇପିସିର ଧାରା ୩୭୭ ଅନୁଯାୟୀ ଅପରାଧ ନୁହେଁ, ଏହି ଆଇନ ବଳରେ ସମଲିଙ୍ଗୀ ବିବାହକୁ ମୌଳିକ ଅଧିକାର ଭାବେ ଦାବି କରି ହେବନାହିଁ
  • ଏହାକୁ ଦେଶର ଆଇନ ସ୍ୱୀକୃତି ଦେଉନାହିଁ
  • ଏହା ପାରିବାରିକ, ସାମାଜିକ ଓ ଧାର୍ମିକ ବିଭ୍ରାଟ ସୃଷ୍ଟି କରିବ
  • ସମଲିଙ୍ଗୀ ବିବାହ ଆବେଦନକୁ ଖାରଜ କରାଯାଉ

ତେବେ କେନ୍ଦ୍ର ସରକାରଙ୍କ ଏହି ସତ୍ୟପାଠକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିଛି । ସମଲିଙ୍ଗୀ ସଂପର୍କ ବୈଧ ଘୋଷଣା ପରେ ବିବାହକୁ ଆଇନରେ ମାନ୍ୟତା ଦେବାକୁ ଏଲଜିବିଟି-କ୍ୟୁ କମ୍ୟୁନିଟି ଦାବି କରୁଛନ୍ତି । ସମଲିଙ୍ଗୀ ବିବାହ ପାଇଁ ବିଭିନ୍ନ କୋର୍ଟରେ ଆବେଦନ କରାଯାଇଛି । ସବୁ ଆବେଦନକୁ ସ୍ଥାନାନ୍ତର କରିବା ପାଇଁ ଜାନୁଆରୀ ୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କେନ୍ଦ୍ରର ମତାମତ ଜାଣିବାକୁ ଚାହିଁଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସୋମବାର ଦିନ ମାମଲାର ଶୁଣାଣି ହେବ ।