ହତ୍ୟାର ଗୋଟିଏ ଦିନ ପୂର୍ବରୁ ଦୀପାଳିଙ୍କୁ ଏମିତି କଥା କହିଥିଲେ ନବ ଦାସ । ମହିଳା ସମାବେଶରେ ବାପାଙ୍କ କଥା ମନେ ପକାଇଲେ ଦୀପାଳି ।

505

କନକ ବ୍ୟୁରୋ: ଦୀପାଳି କହିଲେ ବାପାଙ୍କ ଶେଷ କଲର କଥା । ହତ୍ୟାର ଗୋଟିଏ ଦିନ ପୂର୍ବରୁ ନବ ଦାସ ଝିଅ ଦୀପାଳିଙ୍କୁ ତରବରିଆ ଭାବେ ଫୋନ କରି କହିଥିଲେ, ଝିଅ ଶୀଘ୍ର ଘରକୁ ଚାଲି ଆ’, ମୋର ଅର୍ଜେଣ୍ଟ କଥା ହେବାର ଅଛି । ନବଙ୍କ ହତ୍ୟାକାଣ୍ଡକୁ ୪୦ ଦିନ ପରେ ସଭାରେ ଝିଅଙ୍କ ଏପରି କଥା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଏସବୁ ଭିତରେ ମହିଳା ଦିବସ ପାଳନ ନାଁରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଦୀପାଳି । ଆଉ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ନବଙ୍କ ଝିଅ ଦୀପାଳି ଓ ବୋହୂ ଚାରଭି ।

ଝାରୁସୁଗୁଡାରେ ନବଦାସଙ୍କ ଝିଅ ଦୀପାଳିଙ୍କ ଭାଷଣ ଅନେକ କଥା ବୟାନ କରୁଛି । ବିଜେଡିର ମହିଳା ସମାବେଶରେ ଦୀପାଳି କହିଛନ୍ତି, ତାଙ୍କ ବାପା ମୃତ୍ୟୁର ସକାଳେ ତାଙ୍କୁ ଫୋନ କରିଥିଲେ ଓ ଶୀଘ୍ର ଝାରୁସୁଗୁଡା ଆସିବାକୁ କହିଥିଲେ । ତେବେ ସଭାମଞ୍ଚରୁ ଦୀପାଳିଙ୍କ ଏହି ଭାଷଣ ଏବେ ଆଲୋଚନାକ ବିଷୟ ହୋଇଛି ।

  • ମହିଳା ଦିବସ ନାଁରେ ଦୀପାଳିଙ୍କ ଶକ୍ତି ପ୍ରଦର୍ଶନ
  • ମଞ୍ଚରେ ଏକାଠି ହେଲେ ନବଙ୍କ ଝିଅ-ବୋହୂ

ନବଦାସ ହତ୍ୟାର ଗୁମର ଏ ଯାଏଁ ଖୋଲିପାରିନି କ୍ରାଇମବ୍ରାଞ୍ଚ । କିନ୍ତୁ ଝାରୁସୁଗୁଡାରେ ଉପ-ନିର୍ବାଚନ ପାଇଁ ବିଜେଡି ଆରମ୍ଭ କରିଦେଲାଣି ପ୍ରସ୍ତୁତି । ଏଥିପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ମହିଳା ଦିବସ ପାଳନ ନାଁରେ ରବିବାର ଶକ୍ତି ପ୍ରଦର୍ଶନ କରିଛି ଶାସକ ଦଳ । ଏଥିରେ ମୁଖ୍ୟ ଅତିଥି ଥିଲେ ନବଦାସଙ୍କ ଝିଅ ଦୀପାଳୀ ଦାସ । ଦୀପାଳି କହିଥିଲେ, ଅଞ୍ଚଳବାସୀ ଯେଭଳି ଆଗରୁ ବାପା ନବଦାସଙ୍କୁ ସହଯୋଗ କରିଥିଲେ ତାଙ୍କୁ ବି ସେଭଳି ସହଯୋଗ କରନ୍ତୁ । ମହିଳା ଦିବସର ସଭାମଞ୍ଚରେ ଦୀପାଳିଙ୍କ ସହ ନବଦାସଙ୍କ ବୋହୂ ଚାରଭି ଦାସଙ୍କୁ ବି ଦେଖିବାକୁ ମିଳିଥିଲା, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

  • ସମାବେଶ ନେଇ ବିଜେପିର ସଙ୍ଗୀନ ଅଭିଯୋଗ
  • ମହିଳା ଦିବସ ପାଳନ ନା ମହିଳା ସମାବେଶ ?

ଝାରୁସୁଗୁଡାରେ ମହିଳାଙ୍କ ସମାବେଶ ନେଇ ଗୁରୁତର ଅଭିଯୋଗ ଆଣିଛି ବିରୋଧୀ ବିଜେପି । ଦଳ ଅଭିଯୋଗ କରିଛି, ବିଜେଡି ଦଳୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀ ଓ ଅନ୍ୟାନ୍ୟ ଏସଏଚଜିର ବିଭିନ୍ନ ସଂସ୍ଥାକୁ ବ୍ୟବହାର କରିଛି । ଏହା ଉପରେ ଜିଲ୍ଲାପାଳ ପଦକ୍ଷେପ ନିଅନ୍ତୁ । ମହିଳାଙ୍କୁ ସମାବେଶକୁ ଆଣିବା ପାଇଁ ଧମକ ଦିଆଯାଉଛି । ଦଳ ସାମ୍ବାଦିକ ସମ୍ମିଳନୀ କରି ମହିଳା ଦିବସ ପାଳନ ନାଁରେ ବିଜେଡି ମହିଳା ସମାବେଶ କରୁଛି ବୋଲି ଅଭିଯୋଗ ଆଣିଛି ।

ସୂଚନାଯୋଗ୍ୟ ଯେ, ଉପନିର୍ବାଚନ ତାରିଖ ଘୋଷଣା ନ ହେଉଣୁ ଝାରୁସୁଗୁଡାରେ ବିଜେଡି-ବିଜେପିର ଆରୋପ-ପ୍ରତ୍ୟାରୋପ ପର୍ବ ଆରମ୍ଭ ହୋଇସାରିଲାଣି । ତେବେ ଦୀପାଳୀଙ୍କ ଶକ୍ତି ପ୍ରଦର୍ଶନ ଓ ଗୋଟିଏ ମଞ୍ଚରେ ନବଙ୍କ ଝିଅ-ବୋହୂ ଏକାଠି ହେବା ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।