ବ୍ୟାଙ୍କର ଲକରରୁ ୩୩ ଲକ୍ଷ ଟଙ୍କାର ସୁନା ଗହଣା ଗାୟବ : ବରଗଡ ଏସବିଆଇ ମୁଖ୍ୟ ଶାଖା ବିରୋଧରେ ଥାନାରେ ଅଭିଯୋଗ

ସାଢେ ଚାରି ବର୍ଷ ପରେ ଲକର ଖୋଲିଲା ବେଳେ ସବୁ ଖାଲି

163

କନକ ବ୍ୟୁରୋ : ବ୍ୟାଙ୍କ ଲକରରୁ ସୁନାଗହଣା ଗାୟବ । ପ୍ରାୟ ୩୩ ଲକ୍ଷ ଟଙ୍କାର ଗହଣା ଗାୟବ ହେବା ନେଇ ହୋଇଛି ଅଭିଯୋଗ । ଏଭଳି ଏକ ଚାଂଚଲ୍ୟକର ଅଭିଯୋଗ ଆସିଛି ବରଗଡ ସହରରୁ । ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ବରଗଡର ମହାନ୍ତି ପଡା ବାସିନ୍ଦା ସ୍ନିଗ୍ଧା ତ୍ରିପାଠୀଙ୍କ ଲକରରୁ ସୁନାଗହଣା ଗାୟବ ହୋଇଥିବା ବରଗଡ ଥାନାରେ ଅଭିଯୋଗ ହୋଇଛି । ମାଆ ଜ୍ୟୋତ୍ସ୍ନା ତ୍ରିପାଠୀଙ୍କ ସହ ଏକ ମିଳିତ ଆକାଉଂଟ ଆଧାରରେ ବ୍ୟାଙ୍କର ୨୮୨ ନମ୍ବର ଲକରରେ ସେ କିଛି ସୁନାଗହଣା ରଖିଥିଲେ । ଏହି ଗତ ୨୦୧୬ ଜୁନ୍ ମାସରେ ସେ ଶେଷ ଥର ପାଇଁ ଲକର ଖୋଲିଥିଲେ । ସେହିଦିନ ଠାରୁ ସ୍ନିଗ୍ଧା କିମ୍ବା ତାଙ୍କ ମାଆ ବ୍ୟାଙ୍କକୁ ଯାଇ ନଥିବା କହିଛନ୍ତି ।

ତେବେ ଏବେ ଲକର ଖୋଲିବା ବେଳେ ଏହା ପୁରା ଖାଲି ଥିଲା ଏବଂ ୩୩ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣାର ଦେଖା ମିଳିନଥିଲା । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ସନ୍ତୋଷଜନକ ଉତ୍ତର ଦେଇ ପାରୁ ନଥିବା ବେଳେ ଥାନାରେ ଅଭିଯୋଗ କରିଛନ୍ତି ସ୍ନିଗ୍ଧା । ପୁଲିସ ଘଟଣାର ତଦନ୍ତ କରୁଛି ।