ନେତାଙ୍କୁ ଘାରିଛି ବାବା ନିଶା ! ଫାଇଦା ପାଇଁ ଚାଲିଛି ସମଝୌତା ! ଭକ୍ତର ଭାଙ୍ଗୁଛି ବିଶ୍ୱାସ

65

କନକ ବ୍ୟୁରୋ: ବାବାଙ୍କ ପାଇଁ ନେତା ନା ନେତାଙ୍କ ପାଇଁ ବାବାମାନେ ହେଉଛନ୍ତି ବଳୀୟାନ । କେତେବେଳେ ବାବାଙ୍କ ସହ ନେତାଙ୍କ ଫଟୋପୋଜ ତ ପୁଣି କେତେବେଳେ ଗୋଟିଏ ମଂଚରେ ଉଭୟେ ଏକାଠି ରହିବା ଜନ୍ମ ଦେଇଛି ଏମିତି ହଜାରେ ପ୍ରଶ୍ନକୁ । ଏହାକୁ ନେଇ ସୋସିଆଲ ମିଡିଆରେ ବି ଉଠିଛି ଝଡ । କିଏ କାହାର ଅନୁଗାମୀ? କାହା ଠାରୁ କିଏ ପାଉଥିଲା ସୁବିଧା? କିଏ କାହା ପାଖରେ ଅସହାୟ? ଏମିତି ଅନେକ ପ୍ରଶ୍ନର ଉତ୍ତର ଯଦିଓ ମିଳେନାହିଁ କିନ୍ତୁ ସାଧାରଣରେ ତିଆରି ହୋଇଯାଏ ଏମିତି ଆହୁରି କେତେ ପ୍ରଶ୍ନ ।

ଜାତୀୟ ସ୍ତରରେ ବାବା ହୁଅନ୍ତୁ କି ଓଡିଶାର ବାବା । ପ୍ରାୟ ସମସ୍ତଙ୍କର ବିଭିନ୍ନ ନେତାଙ୍କ ସହ ରହିଛି ସଂପର୍କ । ଏକଥା ଆମେ କହୁନୁ । ଏ କଥା କହିବାକୁ ବାଧ୍ୟ କରେ କିଛି ଫଟୋ । ବିଭିନ୍ନ ସମୟରେ ବାବାଙ୍କ ସହ ନେତାମାନଙ୍କ ଫଟୋ ଭାଇରାଲ ହୋଇଛି । ଆଉ ବିଭିନ୍ନ କେଳେଙ୍କାରୀରେ ବାବା ବନ୍ଧା ହେବେ ପରେ ବଦନାମ ହୋଇଛନ୍ତି ସେହି ଫଟୋ ପୋଜ ଦେଇଥିବା ନେତାମାନେ । ଏବେ ଡେରା ସଚ୍ଚା ସୌଦା ମୂଖ୍ୟ ବାବା ରାମ ରହିମ ବନ୍ଧା ହେବା ପରେ ଏମିତି ଅନେକ ନେତାଙ୍କ ଫଟୋ ବି ଭାଇରାଲ ହୋଇଛି । ଅବଶ୍ୟ ଏହି ଫଟୋ ପୋଜ ପାଇଁ ସଫେଇ ଦିଆଯାଉଛି କିନ୍ତୁ ପରୋକ୍ଷରେ ବଦନାମ ହୋଇଛନ୍ତିି ନେତା । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ସତରେ କଣ ଏମାନଙ୍କର ସଂପର୍କ ରହିଛି ।

ଯୌନ କେଳେଙ୍କାରୀ ମାମଲାରେ ସ୍ୱାମୀ ଶ୍ରୀହରି, ଆଶାରାମ ବାପୁ, ନାରାୟଣ ସାଇ, ସନ୍ଥ ରାମପାଲ, ସ୍ୱାମୀ ନିତ୍ୟାନନ୍ଦ, ସ୍ୱାମୀ ପ୍ରେମାନନ୍ଦ, ମହର୍ଷି ମହେଶ ଯୋଗୀ, ସ୍ୱାମୀ ସଦାଚାରୀ ପ୍ରମୁଖ ବନ୍ଧା ହୋଇ ଜେଲ ଯାଇଥିବା ବେଳେ ଅନ୍ୟାନ୍ୟ ଅପରାଧିକ ମାମଲାରେ ଅନେକ ବାବାଙ୍କୁ ଜେଲ ଯିବାକୁ ପଡିଛି । ଏବେ ଡେରା ମୁଖ୍ୟ ରାମ ରହିମ ମଧ୍ୟ ପୁଲିସ ହେପାଜତରେ । ହେଲେ ଏମାନଙ୍କ ପଛରେ ରାଜନୈତିକ ପୃଷ୍ଠପୋଷକତା ରହିଥିବା ଅଭିଯୋଗ ହୁଏ । କାରଣ ବିନା ରାଜନୈତିକ ପୃଷ୍ଠପୋଷକତାରେ ଏଭଳି ସାମ୍ରାଜ୍ୟ ବିସ୍ତାର କରିବା ଅସମ୍ଭବ ।

ଡେରା ମୁଖ୍ୟ ରାମ ରହିମ ସହିତ ହରିୟାଣାର କ୍ରୀଡାମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି ଫଟୋରେ । ଏହାପରେ ଗତ ମଇମାସରେ କ୍ରୀଡାକ୍ଷେତ୍ରରେ ସମ୍ମାନଜନକ ପୁରସ୍କାର ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ତାଙ୍କ ନାମକୁ ସୁପାରିଶ କରାଯାଇଥିବା ଚର୍ଚ୍ଚା ହେଉଛି । ୨୦୧୪ ହରିୟାଣା ନିର୍ବାଚନରେ ବାବାଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଭାରତୀୟ ଜନତା ପାର୍ଟିର ନେତାମାନେ ଏହି ବାବାଙ୍କ କୃପାରୁ ଜିତିଥିବା ବି ଆଲୋଚନା ହେଉଛି । ସେହିପରି ସ୍ୱଚ୍ଛ ଭାରତ ଅଭିଯାନରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସହ ବାବା ସାମିଲ ହୋଇ ଝାଡୁ ମାରିଥିବାର ଫଟୋକୁ ଟୁଇଟ କରିଥିଲେ ନଜେ ପ୍ରଧାନମନ୍ତ୍ରୀ । ଖାଲି ସେତିକି ନୁହେଁ ବିଜେପି ଶାସନକୁ ଆସିବା ପରେ ବାବାଙ୍କୁ ମିଳିଥିଲା ଜେଡ ପ୍ଲସ ସିକ୍ୟୁରିଟି । ତେଣୁ ବାବାଙ୍କ ସହ ବିଜେପିର ସଂପର୍କ ନିବିଡ ବୋଲି ବେଶ ଚର୍ଚ୍ଚା ହେଉଛି ।

ଆଶାରାମ ବାପୁଙ୍କ ପାଇଁ ଓକିଲାତି କରିବାକୁ ଆଗେଇ ଆସିଥିଲା କଂଗ୍ରେସ । ବାବାଙ୍କୁ ବାନ୍ଧିବା ମଧ୍ୟପ୍ରଦେଶ କଂଗ୍ରେସକୁ ଦୁଃଖ ପହଂଚାଇଥିବା କହିଥିଲେ ରାଜ୍ୟର ଜଣେ ମନ୍ତ୍ରୀ । ଅବଶ୍ୟ ସେତେବେଳେ ଚିଦାମ୍ବରମ ଏନେଇ ସଫେଇ ଦେଇଥିଲେ କିନ୍ତୁ ଏଭଳି ବୟାନ ଯେ, ବାବାଙ୍କୁ କଂଗ୍ରେସ ସମର୍ଥନ ଦେଇଥିଲା ତାହା ସଫା ସଫା ଦେଖାଦେଇଥିଲା । ଯାହାକୁ ନେଇ ଅନେକ ତୁମ୍ବିତୁଫାନ ବି ହୋଇଥିଲା ।

ଏ ରାସ୍ତାରେ ବି ଚାଲିଛନ୍ତି ଓଡିଶାର ତଥାକଥିତ ବାବାମାନେ । ସାରଥୀ, ସୁର ଓ ବାନାବାବାଙ୍କ ସହ ମଧ୍ୟ ରାଜେନ÷ତିକ ସମଝୌତା ହୋଇଥିବାର ଖବର ସାମ୍ନାକୁ ଆସିଥିଲା । ସନ୍ତୋଷ ରାଉଳ ଓରଫ ବାବା ସାରଥୀଙ୍କ ସହ ଏକାଠି ଦେଖିବାକୁ ମିଳିଥିଲେ ଶାସକ ବିଜେଡିର ଅନେକ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ । ସମସ୍ତେ ଯେମିତି ଆଶୀର୍ବାଦ ଟିକିଏ ପାଇବାକୁ ଛୁଟି ଯାଇଥିଲେ ବାବାଙ୍କ ଚରଣକୁ । କୃତ୍ୟ କୃତ୍ୟ ମୁଦ୍ରାରେ ଫଟୋ ବି ଉଠାଇଥିଲେ । ତେବେ ହୋଟେଲ ଗୋଲକୁଣ୍ଡାରେ ଖୋଲିଥିଲା ୟାଙ୍କର ଗୁମର । ପରେ ପରେ ସାମ୍ନାକୁ ଆସିଥିଲା ମହିଳାଙ୍କ ସହ ବାବାଙ୍କ ସମ୍ପର୍କ । ଯେଉଁଥିପାଇଁ ତାଙ୍କୁ ଜେଲ ଯିବାକୁ ପଡିଛି । ତେବେ ବାବା ଜେଲ ଯିବା ପରେ କେନ୍ଦ୍ରାପଡା ଆଶ୍ରମ ପାଇଁ ଶାସକ ଦଳ କି ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଥିଲା ତାହା ସାମ୍ନାକୁ ଆସିଥିଲା ।

ଆଉ ଜଣେ ବାବା ଥିଲେ ସୁରବାବା । ସୁର ମିଶ୍ର ଓରଫ ସୁରବାବା ପୋଥୀ ଦେଖି ଭାଗ୍ୟଫଳ ନିର୍ଦ୍ଧାରଣ କରୁଥିଲେ । ଯାହା ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା । ବିଳାଶମୟ ପ୍ରାସାଦରେ ରାଜ୍ୟ ପର୍ଯ୍ୟଟନ ବିଭାଗର ମୋହର ଲାଗିଥିଲା ବାବାଙ୍କ ପାଇଁ । ବେଶ କାଡତି ଦେଖାଇଥିବା ଏହି ବାବା ବି ଜେଲରେ । ଅବଶ୍ୟ ଏହି ବାବାଙ୍କ ଶରଣକୁ ଅନେକ ନେତା ଆସିଥିଲେ ନିଜର ଭାଗ୍ୟର ପରିବର୍ତ୍ତିତ ଫଳ ହାସଲ ପାଇଁ । ଯେଉଁଥିପାଇଁ ସେତେବେଳେ ବିବାଦ ଉପୁଜିଥିଲା ।

କୋଣାର୍କ ନିକଟରେ ଗଢ଼ି ଉଠିଥିଲା ବାନା ବାବାଙ୍କ ଆଶ୍ରମ । ବିଳାଶମୟ ନଥିଲା କିନ୍ତୁ ସରକାରୀ ଯାଗାକୁ ମାଡି ବସିଥିଲେ ବାବା । ଆଉ ଏହା ପଛରେ ବି କୁଆଡେ ଥିଲା ନେତାଙ୍କ ପ୍ରୋତ୍ସାହନ । ଯେତେବେଳେ ଜଣକ ପରେ ଜଣେ ବାବା ପୁଲିସ ହେପାଜତକୁ ଆସିଲେ ସେତେବେଳେ ବାନା ବାବା ବି ସାମ୍ନାକୁ ଆସିଥିଲେ । ଆଶ୍ରମରେ ପୁଲିସ ପଶିବା ବେଳେ ବି ସେତେବେଳେ ଚୁପ ଥିଲେ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ଲୋକପ୍ରତିନିଧୀଙ୍କ ପର୍ଯ୍ୟନ୍ତ ।

ଏହି ତମାମ ଘଟଣା ବୟାନ କରେ କିଭଳି ନେତାଙ୍କ ପାଇଁ ବଳୀୟାନ ହେଉଛନ୍ତି ବାବା । ନିଜର ସମର୍ଥକ ଓ ଶିଷ୍ୟଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରି ନେତାଙ୍କ ଠାରୁ ଫାଇଦା ପାଇଥାନ୍ତି ବାବାମାନେ । ପୁଣି ଆଶୀଷ ଓ ଆଶୀର୍ବାଦ ଦେବା ଆଳରେ ନେତାମନ୍ତ୍ରୀଙ୍କ ବିଶ୍ୱାସଭାଜନ ହୋଇ ନିଜର କାୟା ବିସ୍ତାର କରନ୍ତି । ଫାଇଦା ପାଇ ନେତା ଚୁପ ଆଉ ବାବା ବି । ଯାହା ଅନେକ ସମୟରେ ବିଶ୍ୱାସ ଭାଙ୍ଗି ବିବାଦର ପ୍ରାଚୀର ଛିଡା କରିଛି ।