ଅପହଞ୍ଚ ଇଲାକାରେ ଅପହଞ୍ଚ ପାଠ: ସ୍କୁଲ ନାହିଁ, ସାର ବି ନାହାନ୍ତି କିନ୍ତୁ ମାସକୁ ମାସ ମିଳୁଛି ଦରମା । ମାଲକାନଗିରିରୁ ଆସିଲା ଶିକ୍ଷା ବ୍ୟବସ୍ଥାର ସାଙ୍ଘାତିକ ସତ

317

କନକ ବ୍ୟୁରୋ: ଅପହଞ୍ଚ ଇଲାକାର ଅପହଞ୍ଚ କାହାଣୀ । ବଣ ପାହାଡ ଘେରା ଗାଁରେ ନାଁ ଅଛି ସ୍କୁଲ ନା ଅଛନ୍ତି ଶିକ୍ଷକ । ଦୀର୍ଘ ୩୦ ବର୍ଷ ହେବ ଏପରି କିଛି ଗାଁ ରହିଛି ଯେଉଁଠି କି ଆଜି ପର୍ଯ୍ୟନ୍ତ କୈ।ଣସି ଶିକ୍ଷକଙ୍କ ପାଦ ପଡିନାହିଁ । ସ୍କୁଲ ବଦଳରେ ଗାଈଗୋଠରେ ବିତୁଛି କୋମଳମତି ଆଦିବାସୀ ପିଲାଙ୍କ ଭାଗ୍ୟ ଭବିଷ୍ୟତ । ସ୍କୁଲରେ କେହି ଶିକ୍ଷକ ନଥିଲେ ବି କାଗଜ କଲମରେ ଚାଲିଛି ବିଦ୍ୟାଳୟ ।

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଖଟୁଆ ପଦର ପ୍ରାଥମିକ ବିଦ୍ୟାଳୟରେ ନାହିଁ ନାହିଁରେ ଚାଲିଛି ସ୍କୁଲ । ଦୁର୍ଗମ ପାହାଡିଆ ଅଂଚଳର ଗୁଗାପଦର, କେରମେଟି ଓ ତୁଳସୀ ଗାଁରେ ବି ସ୍କୁଲ ନାହିଁ, କି ଶିକ୍ଷକ ନାହାନ୍ତୁି । ହେଲେ ସବୁ କିନ୍ତୁ ଠିକଠାକ ଚାଲିଛି କାଗଜପତ୍ରରେ । ଏଠି କେହି ପାଠ ପଢାଉ ନାହାନ୍ତି କି କେହି ପାଠ ବି ପଢୁ ନାହାନ୍ତି । ସ୍କୁଲ ବଦଳରେ ଗାଈ ଗୋଠରେ କଟୁଛି ପିଲାଙ୍କ ଦିନ ।

ତେବେ ୬ ବର୍ଷ ହେଲା ଖଟୁଆ ପଦର ଗାଁର ବିଦ୍ୟାଳୟ ଗୃହ ଭୁଶୁଡିପଡି ମାଟିରେ ମିଶିଛି । ସେହି ଦିନଠୁ ଗାଁରେ ପାଦ ପକାଇ ନାହାନ୍ତି କୌଣସି ଶିକ୍ଷକ । କିନ୍ତୁ କାଗଜପତ୍ର ଠିକ୍ ତାର ଓଲଟା କଥା କହୁଛି । ନିୟମିତ ଛାତ୍ର ଉପସ୍ଥାନ ପଡୁଛି, ମଧ୍ୟାହ୍ନ ଭୋଜନ ବି ପିଲାଙ୍କୁ ଦିଆଯାଉଛି । ଆଉ ଆଦୌ ସ୍କୁଲକୁ ନଆସି ଶିକ୍ଷକ ନିୟମିତ ଦରମା ମଧ୍ୟ ପାଉଛନ୍ତି । ତେବେ ଶିକ୍ଷକ ଖବର ଦେଲେ ପାହାଡ ତଳକୁ ଓହ୍ଲାଇ ପିଲାଙ୍କ ଅଣ୍ଡା ଓ ଚାଉଳ ନେଇଯାଉଛନ୍ତି ଅଭିଭାବକ ।

ମାଲକାନଗିରିର ଏହି ଲାଲକରିଡର ଅଂଚଳରେ ଶିକ୍ଷା ବ୍ୟବସ୍ଥା ଏମିତି ଭୁଶୁଡି ପଡିଛି ଯେ ଶିକ୍ଷକମାନଙ୍କୁ ତଦାରଖ କରିବାକୁ କେହି ସିଆସିସି ଓ ବିଆରସିସି ଆଗଭର ହେଉନାହାନ୍ତି । । ଶିକ୍ଷକଙ୍କ ସହ ସଲାସୁତରା କରି ଶିକ୍ଷାବିଭାଗର ଅଧିକାରୀମାନେ ନିରୀହ ଆଦିବାସୀ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି ।

ଗୋଟିଏ ପଟେ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟପଟେ ଅପହଞ୍ଚ ଇଲାକାକୁ ପାଠ ପହଞ୍ଚି ପାରୁନଥିବା କଥା ଶିକ୍ଷା ବ୍ୟବସ୍ଥାର ଅସଲ ରୁପକୁ ପଦାରେ ପକାଇଛି ।