ରାଜ୍ୟସଭାରେ ଧାନର ସର୍ବନିମ୍ନ ସହାୟକ ବୃଦ୍ଧି ପ୍ରସଙ୍ଗ : ଆଲୋଚନା ହୋଇ ନପାରିବାରୁ ବିଜେଡି ସାସଂଦ ପ୍ରସନ୍ନ ଆଚାର୍ଯ୍ୟଙ୍କ କ୍ଷୋଭ

37

କନକ ବ୍ୟୁରୋ : ଥମିବାରେ ନା ନେଉନାହିଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗ । ବାରମ୍ବାର ବିରୋଧୀଙ୍କ ଦାବିପରେ କେନ୍ଦ୍ର ସରକାର ଅତି ନିକଟରେ ଧାନର ସହାୟକ ମୂଲ୍ୟ ବୃଦ୍ଧି ୨୦୦ ଟଙ୍କା କରିଛନ୍ତି । ତେବେ ଏତିକିରେ ଥିମିନାହାନ୍ତି ବିରୋଧୀ । ତେବେ ଗତକାଲି ଗୃହରେ ତୃଣମୂଳ କଂଗ୍ରେସ ସାଂସଦମାନଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାକୁ ମୁଲତବୀ କରାଯିବା ସହ ଗୃହରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ସମ୍ପର୍କିତ ସ୍ୱଳ୍ପ ଅବଧି ଆଲୋଚନା ହୋଇପାରି ନାହିଁ। ଏନେଇ ରାଜ୍ୟସଭାରେ ବିଜେଡି ସାଂସଦମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗରେ ରାଜ୍ୟସଭାରେ ଆଲୋଚନା ପାଇଁ ବିଜେଡି ଦ୍ୱାରା ନୋଟିସ୍ ଦିଆଯାଇଥିଲା। ବିଜେଡିର ନୋଟିସ୍ ଗ୍ରହଣ କରି ରାଜ୍ୟସଭା ଅଧ୍ୟକ୍ଷ ସ୍ୱଳ୍ପ ଅବଧି ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରିଥିଲେ।

 

ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇବା ପ୍ରସଙ୍ଗ ଦାବିକରି ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ପ୍ରତାପ କେଶରୀ ଦେବ ଓ ସାଂସଦ ଏନ୍ ଭାସ୍କର ରାଓ ଏହି ଆଲୋଚନାରେ ଭାଗନେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ତୃଣମୂଳ କଂଗ୍ରେସ ସାଂସଦଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ମୁଲତବୀ ରଖାଯାଇଥିଲା। ଫଳରେ ଏମ୍ଏସପି ବୃଦ୍ଧି ସମ୍ପର୍କିତ ସ୍ୱଳ୍ପ ଅବଧି ଆଲୋଚନା ହୋଇ ପାରିନାହିଁ। ଗୃହରେ ଆଲୋଚନା ହୋଇ ନପାରିବାରୁ ବିଜେଡି ନେତାମାନେ ନାରାଜ ହେବା ସହ କେନ୍ଦ୍ର ସରକାର ଜାଣିଶୁଣି ଆଲୋଚନା କରୁନାହାନ୍ତି ବୋଲି କହିଥିଲେ । ତେବେ ଧାନ ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ତାହାର ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ସାସଂଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।