ଶ୍ରାବଣରେ ବର୍ଷା ଗାଏବ । ପାଣି ଅଭାବରୁ ଫାଟି ଆଁ କରିଛି ଧାନ ବିଲ, ଶୁଖି ବଦଳି ଗଲାଣି ତଳିର ରଙ୍ଗ ।

195

କନକ ବ୍ୟୁରୋ : ଶ୍ରାବଣ ଆସିଲାଣି, ହେଲେ ବର୍ଷାର ଦେଖା ନାହିଁ । ନିଅଣ୍ଟିଆ ବର୍ଷା ଯୋଗୁଁ ଜମି ଫାଟି ଆଁ କରିଥିବା ବେଳେ ଧାନ ଫସଲ ଉଜୁଡିଗଲାଣି । ଗଜା ମରୁଡିର ଭୟ ଚାଷୀର ଚିନ୍ତା ବଢାଇ ଦେଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବର୍ଷାର ପରିମାଣ କମ୍ ରହିଥିବାରୁ ଫସଲ ହେବା କଷ୍ଟକର ହୋଇଯାଇଛି । ଋଣ କରି ଚାଷ କରୁଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛି । କେମିତି ଜମିକୁ ପାଣି ଆସିବ, ଏବେ ସେହି ଚିନ୍ତା ଘାରିଛି ଚାଷୀକୁ ।

ବର୍ଷା ନାହିଁ, ପାଣି ନାହିଁ । ଶୁଖିଲା ପଡିଛି ଧାନ ବିଲ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁରରେ ବର୍ଷା ଅଭାବରୁ ଚାଷ ଜମିର ଏପରି ଅବସ୍ଥା । ପ୍ରଥମ ବର୍ଷାରେ ଚାଷୀ ବୁଣିଥିବା ଧାନ ବେଉଷଣ ହୋଇପାରୁନି, କାଦୁଅ ହୋଇନଥିବାରୁ ରୁଆ କାମ ବି ଆଗେଇ ପାରୁନି । ଜମି ଫାଟି ଆଁ କରିଥିବା ବେଳେ ଫସଲର ସବୁ ଆଶା ମଉଳି ଯାଇଛି । ଧାନ ତଳି ବଂଚାଇବା ପାଇଁ ଭଡାରେ ପମ୍ପ ଆଣି ପାଣି ମଡାଉଛନ୍ତି ଚାଷୀ । ଏହି ୨ଟି ବ୍ଲକର ୧୬ ହଜାର ହେକ୍ଟର ଜମିରେ ଧାନ ଚାଷ ପାଇଁ କୃଷି ବିିଭାଗ ଲକ୍ଷ୍ୟ ରଖିଛି । ଚାଷ ପାଇଁ ଏବେ ସୁଦ୍ଧା ୪୨୦ ମିଲିମିଟର ବର୍ଷାର ଆବଶ୍ୟକତା ରହିଛି । କିନ୍ତୁ ଜୁନ୍-ଜୁଲାଇ ମାସର ଅଧାସୁଦ୍ଧା ମାତ୍ରା ୧୧୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ନିଅଣ୍ଟିଆ ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଜମିରେ ଚାଷ କେମିତି ହେବ ତାକୁ ନେଇ ଚାଷୀର ଆଖିରୁ ନିଦ ହଜିଯାଇଛି ।

କେମିତି ହେବ କେନ୍ଦ୍ରାପଡା ଚାଷ ? ବର୍ଷା ଅଭାବରୁ ହେବକି ଗଜା ମରୁଡି ? ସମାନ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ । ଜିଲ୍ଲାର ମାର୍ଶାଘାଇ, ଗରଦପୁର, ମହାକାଳପଡାରେ ବର୍ଷାକୁ ଆଶା କରି ଧାନ ତଳି ପକାଇଥିଲେ ଚାଷୀ । ହେଲେ ଶ୍ରାବଣରେ ପାଣି ଅଭାବରୁ ପୋଖରୀ ଗାଡିଆ ଶୁଖିଲା ପଡିଥିବା ବେଳେ, ଫାଟି ଆଁ କରିଛି ଚାଷ ଜମି । ବିଲକୁ ପାଣି ନାହିଁ । ଜମି ଫାଟି ଯାଉଥିବାରୁ, ପାଣି କିଣି ଜମିରେ ମଡାଉଛି ଚାଷୀ । ହେଲେ ଏହା ସମୁଦ୍ରକୁ ସଂଖେ ।

ମାର୍ଶାଘାଇ ବ୍ଲକର ମୋଟ ୧୧ ହଜାର ୬୪୨ ହେକ୍ଟର ଜମିରୁ ୮,୫୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଏ । ସେହିପରି ଗରଦପୁର ବ୍ଲକରେ ୯,୧୨୫ ହେକ୍ଟର ଜମିରୁ ୭,୫୦୦ ହେକ୍ଟର ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖିଛି କୃଷି ବିଭାଗ । ଏବଂ ମହାକାଳପଡାର ୨୮ ହଜାର୨୦ ହେକ୍ଟର ଜମିରୁ ୨୪ ହଜାର ୨୦୦ ହେକ୍ଟର ଜମିରେ ଧାନ ଚାଷ କରିଥାନ୍ତି ଚାଷୀ ।

ସବୁ ଜମିରେ ଜଳସେଚିତ ହୋଇନଥିବାରୁ ଚାଷୀ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି । ଚଳିତବର୍ଷ ମଧ୍ୟ ବର୍ଷାକୁ ଆଶା କରି ଧାନ ଚାଷ ପାଇଁ ଜମିକୁ ପ୍ରସ୍ତୁତ କରିଛନ୍ତି ଚାଷୀ । ହେଲେ ବର୍ଷାର ଦେଖା ନଥିବାରୁ ଚାତକ ପରି ଆକାଶକୁ ଚାହିଁ ବସିଛନ୍ତି ଚାଷୀ । ରାଜ୍ୟର ପ୍ରାୟ ସବୁ ଅଂଚଳରୁ ଚାଷୀଙ୍କ ଦୟନୀୟ ସ୍ଥିତିର ଚିତ୍ର ସାମ୍ନାକୁ ଆସିଛି । ବର୍ଷା ଅଭାବରୁ କେଉଁଠି ବିଲରେ ଗୋରୁ ଚରୁଛନ୍ତି ତ ଆଉ କେଉଁଠି ଚାଷ ଜମିରେ କାଦୁଅ ବଦଳରେ ଧୂଳି ଉଡୁଛି । ଯାହାକୁ ଦେଖିଲେ ଗଜା ମରୁଡିର ଆଶଙ୍କା ଦୃଢିଭୂତ ହେଉଛି ।