ରେଳପଥର ନିରାପତ୍ତା ନେଇ ପଦକ୍ଷେପ ! ରେଳବୋର୍ଡର ଅଧିକାରୀଙ୍କ ସହ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ଉଚ୍ଚସ୍ତରୀୟ ବୈଠକ

26

କନକ ବ୍ୟୁରୋ : ରେଳପଥର ନିରାପତ୍ତା ନେଇ ରେଳବୋର୍ଡର ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ରେଲମନ୍ତ୍ରୀ ପିୟୁଷ ଗୋୟଲ୍ । ଏହି ବୈଠକରେ ରେଳପଥର ସୁରକ୍ଷା ନେଇ ବ୍ୟାପକ ସମୀକ୍ଷା କରାଯାଇଛି । ମାନ୍ୟବର ମନ୍ତ୍ରୀ ନିରାପତ୍ତାକୁ ବେଶୀ ଗୁରୁତ୍ୱ ଦେଇଛନ୍ତି । ମାନବବିହୀନ ରେଳ ଫାଟକ ଓ ଲାଇନଚ୍ୟୁତ ଜନିତ ସମସ୍ୟାର ସମାଧାନ ପାଇଁ ତୁରନ୍ତ ୫ଟି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଏହି କାର୍ଯ୍ୟ ପାଇଁ ୩ବର୍ଷର ସମୟସୀମା ଧାର୍ଯ୍ୟ କରାଯାଇଥିବାବେଳେ ୧ବର୍ଷ ମଧ୍ୟରେ ଏହି କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଗୋୟଲ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରେନ ଯାତାୟତ କ୍ଷେତ୍ରରେ ନିରାପତ୍ତାର ବନ୍ଦୋବସ୍ତ କରିବାକୁ ରେଳମନ୍ତ୍ରୀ ଆଜି ଦୀର୍ଘ ସମୟ ଧରି ରେଳ ବୋର୍ଡର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ନିରାପତ୍ତା ଉପାୟଗୁଡିକ ସଂପର୍କରେ ଏକ ଟିକିନିଖି ଉପସ୍ଥାପନା ରଖାଯାଇଥିଲା । ନିକଟରେ ବାରମ୍ବାର ରେଳ ଲାଇନଚ୍ୟୁତ ହେବା ଘଟଣା ଓ ଏହାର ମୂଳ କାରଣ କଣ , ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ରେଳ ନିରାପତ୍ତା ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ରେଳମନ୍ତ୍ରୀ କହିଥିଲେ , ଏ କ୍ଷେତ୍ରରେ କଦାପି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ।

ଦୁର୍ଘଟଣାର ମୂଳ କାରଣ –
୧ – ମାନବବିହୀନ ରେଳଫାଟକ ଯୋଗୁଁ ୨୦୧୬-୧୭ରେ ଶତକଡା ୩୪ ଭାଗ ଦୁର୍ଘଟଣା ଘଟିଛି ।
୨- ରେଳ ଟ୍ରାକ୍ ରେ ଥିବା ତ୍ରୁଟି ଯୋଗୁଁ ଟ୍ରେନଗୁଡିକ ଲାଇନଚ୍ୟୁତ ହେଉଛି ।

ରେଳ ନିରାପତ୍ତାକୁ ନେଇ ରେଳମନ୍ତ୍ରୀ ରେଳବୋର୍ଡକୁ ଦେଇଥିବା ନିର୍ଦ୍ଦେଶ-
୧- ବର୍ତ୍ତମାନ ଠାରୁ ୧ବର୍ଷ ଭିତରେ ତ୍ୱରାନ୍ୱିତ ଭାବେ ସମସ୍ତ ମାନବବିହୀନ ରେଳ ଫାଟକ ଗୁଡିକୁ ଉଠାଇ ଦିଆଯିବ ।
୨- ରେଳପଥ ଟ୍ରାକର ପରିବର୍ତ୍ତନ /ନବୀକରଣକୁ ଅଧିକ ଗୁରୁତ୍ୱ ଦିଆଯାଇ ଦୁର୍ଘଟଣା ପ୍ରବଣ ଓ ତୁରନ୍ତ ପରିବର୍ତ୍ତନ ଆବଶ୍ୟକ କରୁଥିବା ସ୍ଥାନ ଗୁଡିକରେ ନୂତନ ରେଳପଥ ପାଇଁ ଉଦ୍ଦିଷ୍ଟ ଟ୍ରାକ୍ ଗୁଡିକୁ ଯଥାଶୀଘ୍ର ବ୍ୟବହାର କରାଯିବ।
୩- ନୂତନ ରେଳପଥ ଗୁଡିକର ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସଂପୂର୍ଣ୍ଣ କରିବାକୁ ବହୁଳ ପରିମାଣରେ ନୂତନ ରେଳ କିଣାଯିବ ।
୪- ପୂର୍ବରୁ ନିର୍ମାଣ କରାଯାଇତିବା ପାରମ୍ପରିକ ଆଇସିଏଫ୍ ଡିଜାଇନର ରେଳଡବା ନିର୍ମାଣକୁ ବନ୍ଦ କରି ତା’ ସ୍ଥାନରେ କେବଳ ଏଲଏଚବି ଡିଜାଇନର ରେଳଡବା ନିର୍ମାଣ କରାଯିବ ।
୫ -ରେଳ ଇଂଜିନ୍ ଗୁଡିକରେ କୁହୁଡିକୁ ଭେଦ କରିପାରୁଥିବା ଏଲଇଡି ଲାଇଟ୍ ବ୍ୟବହାର କରାଯାଇ କୁହୁଡି ସମୟରେ ଅବାଧ ରେଳ ଚଳାଚଳକୁ ସୁନିଶ୍ଚିତ କରାଯିବ ।