ସୋମବାରଠାରୁ ମହଙ୍ଗା ହେବ ମୁଢି । ଚୁଡା, ଖଇ, ଉଖୁଡାର ମଧ୍ୟ ବଢିବ ଦର ।

272

କନକ ବ୍ୟୁରୋ: ଓଡିଶାର ସାଧାରଣ ଲୋକଙ୍କ ସ୍ନାକ୍ସ ଭାବେ ପରିଚିତ ମୁଢ଼ି, ଚୂଡାର ଦର ବଢିବାକୁ ଯାଉଛି । ଏହି ଖାଦ୍ୟ ଉପରେ ଜୁଲାଇ ୧୮ ତାରିଖରୁ ଜିଏସଟି ବସାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଣିକି ଭୁବନେଶ୍ୱରର ପ୍ରସିଦ୍ଧ କୋରାଖଇ କିଣିଲେ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିବ । ସାଧାରଣତଃ ଠାକୁରଙ୍କ ଭୋଗ ଲାଗି କରିବା ପାଇଁ ଏହି ଖଇର ବହୁଳ ବ୍ୟବହାର ହୋଇଥାଏ ।

  • ମୁଢ଼ିକୁ ପ୍ୟାକ୍ କରି ବିକିଲେ ଲାଗିବ ୫ ପ୍ରତିଶତ ଜିଏସଟି
  • ଚୁଡ଼ା, ଖଇ ଓ ଉଖୁଡ଼ାରେ ବି ୫ ପ୍ରତିଶତ ଟିକସ

କେନ୍ଦ୍ର ସରକାର ଟିକସ ବସାଇବା ଖବର ପରେ ଚୂଡା, ମୁଢ଼ି ବିକ୍ରି କରି ପରିବାର ଚଳାଉଥିବା ଛୋଟ ଛୋଟ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣୀ ପଡିଛି । କିଏ କୌଳିକ ଭାବେ ମୁଢି ତିଆରି କରି ବିକ୍ରି କରୁଛନ୍ତି, ତ କିଏ ଏହି ବ୍ୟବସାୟକୁ ପେଟପାଟଣାର ଉପାୟ ଭାବେ ବାଛି ନେଇଛନ୍ତି । ହେଲେ ଏହି ଖୁଚୁରା ବ୍ୟବସାୟ ଉପରେ ଜିଏସଟିକୁ ତୀବ୍ର ବିରୋଧ କରି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ବ୍ୟବସାୟୀ ।

ଖଇ, ମୁଢି, ଚୂଡା ଭଳି ଖାଦ୍ୟ ପଦାର୍ଥ ଉପରେ ଟିକସ ବସାଇବା ଘଟଣାକୁ କଂଗ୍ରେସ ଜୋରଦାର ବିରୋଧ କରିଛି । ପିସିସି ସଭାପତି କହିଛନ୍ତି, ଓଡିଶାବାସୀଙ୍କ ପ୍ରିୟ ଖାଦ୍ୟ ଉପରେ ଜିଏସଟି ଲଗାଇ ମୋଦୀ ସରକାର ଓଡିଶା ପ୍ରତି ବୈମାତକ ମନୋଭାବ ଦେଖାଇଛନ୍ତି । ତୁରନ୍ତ ନିଷ୍ପତିକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଛି । ସେପଟେ ଓଡିଶା ବ୍ୟବସାୟୀ ମହାସଂଘ କହିଛି, ଏହି ନିଷ୍ପତି ଲାଗୁ ହେଲେ ବହୁ ଲୋକ ବ୍ୟବସାୟ ହରାଇବେ । କୃଷି ମଣ୍ଡି ଓ ଡାଲି ମିଲ ପ୍ରଭାବିତ ହେବ । ସରଳ ଭାବେ ପଲିସି ବିଷୟରେ ସରକାର ସ୍ପଷ୍ଟ କରନ୍ତୁ ବୋଲି ସଂଘ ଦାବି କରିଛି ।

ଓଡିଶାର ପୁରପଲ୍ଲୀରେ ବହୁଳ ବ୍ୟବହୃତ ଖଇ, ମୁଢି, ଚୂଡା ମହଙ୍ଗା ହେବା ସାଧାରଣ ଲୋକଙ୍କ ପକେଟକୁ ବାଧିବ । ତେବେ ଖୋଲା ବିକ୍ରି ହେଉଥିବା ଏହି ଖାଦ୍ୟ ପଦାର୍ଥ ଉପରେ ଜିଏସଟି ଲାଗୁ ହେବ ନାହିଁ । ଏପରିକି ଗ୍ରାହକଙ୍କ ଆଗରେ ପ୍ୟାକିଂ କରି ବିକ୍ରି କଲେ ମଧ୍ୟ ଜିଏସଟି ଗଣିବାକୁ ପଡିବ ନାହିଁ ।