‘ମେକ୍ ଇନ୍ ଓଡ଼ିଶା’ କେତେ ସଫଳ? ଆଂଶିକ ବା ପୂର୍ଣ୍ଣକାର୍ଯ୍ୟକ୍ଷମ ହୋଇଛି ମାତ୍ର ୫% ବଡ଼ ପ୍ରକଳ୍ପ!

71

କନକ ବ୍ୟୁରୋ: ୨୦୧୪ରେ ଆରମ୍ଭ ହେଲା ମେକ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ । ଆଉ ତାର ଦୁଇ ବର୍ଷ ପରେ ୨୦୧୬ରେ ଓଡ଼ିଶା ସରକାର ବି ଆରମ୍ଭ କଲେ “ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ । ଲକ୍ଷ୍ୟ ଥିଲା ଓଡ଼ିଶାକୁ ଅଧିକ ପୁଞ୍ଜି ଆଣିବା ଆଉ ନିଯୁକ୍ତି ଦେବା । ୨୦୧୬, ୨୦୧୮ରେ ଦୁଇଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭ ହୋଇଛି । ଦୁଇଟି କନକ୍ଲେଭରେ ୨୮୬ଟି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଆଗ୍ରହ ଦେଖାଇଥିଲେ । ମାତ୍ର ଏଥିରୁ ମାତ୍ର ୧୫ଟି ବଡ଼ ପ୍ରକଳ୍ପ ଅର୍ଥାତ୍ ମାତ୍ର ୫.୨୪% ଆଂଶିକ ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ବୋଲି ନିଜେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ବିଧାନସଭାରେ ଉତ୍ତର ଦେଇଛନ୍ତି ।

୨୦୧୬ ଓ ୨୦୧୮ରେ ୨୮୬ଟି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୋଟ ୬.୨୬ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବାବେଳେ ଏଦ୍ୱାଦ୍ୱାରା ୬.୯୬ ଲକ୍ଷ ଲୋକ ନିଯୁକ୍ତି ପାଇବେ ବୋଲି ଆକଳନ କରାଯାଇଥିଲା । ହେଲେ ଏହି ଛଅ ବର୍ଷରେ ଅତିବେଶିରେ ୯,୫୮୩ କୋଟି ଟଙ୍କା ନିବେଶ ଆସିିଥିବା ବେଳେ ମାତ୍ର ୧୧,୮୦୯ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଇଛି । ଆଉ ଏହା ଭିତରୁ ଅଧିକାଂଶ ପ୍ରକଳ୍ପ ନୂଆ ନୁହେଁ, ବରଂ ଆଗରୁ ରାଜ୍ୟରେ କାରଖାନା ବସାଇଥିବା କମ୍ପାନୀ । ସେମାନେ ନିଜକୁ ସଂପ୍ରସାରିତ କରିଛନ୍ତି । ଓଡ଼ିଶାରେ କେଉଁ କ୍ଷେତ୍ରରେ ଅଧିକ ପ୍ରକଳ୍ପର ଆବଶ୍ୟକତା ରହିଛି ଓ ନିଯୁକ୍ତିର ସୁଯୋଗ ରହିଛି ସେ ଦିଗରେ ସରକାରଙ୍କୁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।