ଜଣେ ସ୍ୱାମୀ ହେଲେ ସ୍ତ୍ରୀ ଅନେକ । ପ୍ରେମ ଜାଲରେ ଫସାଇ ଝିଅଙ୍କୁ ଲୁଟୁଥିଲା ସମୀର । ପଢନ୍ତୁ, କେମିତି ଧରାପଡିଲା ଏହି ଠକ…

300

କନକ ବ୍ୟୁରୋ: ନକଲି ଡାକ୍ତର ରମେଶ ସ୍ୱାଇଁ ପରେ ଠକ ସମୀର ବେଜ୍ । ଦୁହିିଁଙ୍କ କାରନାମା ସମାନ । ଜଣେ ବ୍ୟକ୍ତି, କିନ୍ତୁ ପତ୍ନୀ ଅନେକ । ସମୀରଙ୍କ ଘର ଗଞ୍ଜାମ ଜିଲ୍ଲାର ରମ୍ଭା ଅଞ୍ଚଳରେ । କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ନିଜକୁ ଇଞ୍ଜିନିୟରର ପରିଚୟ ଦେଇ ଝିଅଙ୍କୁ ପ୍ରେମ ଜାଲରେ ଫସାଉଥିଲେ ସମୀର । ଗୋଟିଏ ପରେ ଗୋଟିଏ ବିବାହ ମଧ୍ୟ କରି ଚାଲିଥିଲେ । ଏଭଳି ଠକକୁ ପୁଲିସର ଜିମା ଦେଇଛନ୍ତି ତାଙ୍କ ସ୍ତ୍ରୀ ।

ଅଭିଯୋଗ ହୋଇଛି, ମାଟ୍ରିମୋନିଆଲ ସାଇଟରେ ଫେକ୍ ଆକାଉଣ୍ଟ ଖୋଲି ଯୁବତୀଙ୍କୁ ଟାର୍ଗେଟ କରିଥାଏ ସମୀର । ପ୍ରଥମେ ପ୍ରେମ ଓ ପରେ ବିବାହ କରିଥାଏ । ଖାଲି ବିବାହ କରେନି, ସେମାନଙ୍କ ଭିଡିଓ ସୁଟିଂ କରି ଏହା ମାଧ୍ୟମରେ ଆରମ୍ଭ କରିଦିଅନ୍ତି ବ୍ଲାକ୍ ମେଲିଂ । ମୋଟା ଅଙ୍କର ଟଙ୍କା ଆଦାୟ କରିବା ସହ ସୁନା ଗହଣା ହଡ଼ପ କରିଥାନ୍ତି । କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ମଧ୍ୟ ସମୀର ବିବାହ କରିଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

ଆହୁରି ସଂଗୀନ ଅଭିଯୋଗ ଆଣିଛନ୍ତି ସମୀର ବେଜଙ୍କ ସଂପର୍କୀୟ ଭାଇ । ସେ ଅଭିଯୋଗ କରିଛନ୍ତି ତାଙ୍କ ଭଉଣୀଙ୍କୁ ମଧ୍ୟ ପ୍ରେମ ଜାଲରେ ଫସାଇ ମିଛ ବିବାହ କରିଛି ସମୀର । ୪ ମାସ ହେବ ତାଙ୍କ ଭଉଣୀକୁ କୋଲକାତାରୁ ଭୁବନେଶ୍ୱର ନେଇଆସିଥିବା ବେଳେ ଭଉଣୀର ପତ୍ତା ମିଳୁନାହିଁ । ଏ ନେଇ ରମ୍ଭା ଥାନାରେ ସେ ଅଭିଯୋଗ ମଧ୍ୟ କରିଛନ୍ତି । ପୂର୍ବରୁ ୧୮ ସ୍ତ୍ରୀଙ୍କ ସ୍ୱାମୀ, ନକଲି ଡାକ୍ତର ରମେଶ ସ୍ୱାଇଁକୁ ଗିରଫ କରିଥିଲା କମିସନରେଟ୍ ପୁଲିସ । ଏବେ ପୁଲିସ ହାତରେ ଆଉ ଜଣେ ଠକ ସ୍ୱାମୀ । ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଭୁବନେଶ୍ୱର ଏୟାରଫିଲ୍ଡ ଥାନାରୁ ସମୀର ବେଜଙ୍କୁ ହେପାଜତକୁ ନେଇଛି କଟକ ସଦର ପୁଲିସ ।