ପୁଣି ଥରେ ବିଦେଶୀଙ୍କ ସହ ଦୁର୍ବ୍ୟବହାର । ଲଜ୍ଜିତ ହେଲା ବିଶ୍ୱବିଦ୍ୟାଳୟ!

157

କନକ ବ୍ୟୁରୋ : ପୁଣି ଥରେ ଲଜ୍ଜିତ ହୋଇଛି ବିଶ୍ୱବିଦ୍ୟାଳୟ । ଜଣେ ବିଦେଶୀ ଛାତ୍ରୀଙ୍କୁ ଶାରୀରିକ ଶୋଷଣ କରିବା ଅଭିଯୋଗରେ ଉଠିଛି ପଡିଛି ହାଇଦ୍ରାବାଦ ସେଂଟ୍ରାଲ ୟୁନିଭର୍ସିଟି । ଜଣେ ଥାଇଲ୍ୟାଣ୍ଡ ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ଅଶାଳୀନ ବ୍ୟବହାର ଓ ଶାରୀରିକ ଶୋଷଣ କରିଥିବା ଅଭିଯୋଗ ହୋଇଛି । ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରାଯିବା ସହ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ଗୁରୁଙ୍କୁ ଏଠି ସମ୍ମାନ ମିଳିବା ବଦଳରେ ମିଳୁଛି ଗାଳି । ଗୁରୁଙ୍କ ପୂଜା କରିବା ବଦଳରେ ଛାତ୍ରଛାତ୍ରୀ ଦାବି କରୁଛନ୍ତି ତାଙ୍କୁ ମିଳୁ କଠୋର ଦଣ୍ଡ । ଶହ ଶହ ଛାତ୍ରଛାତ୍ରୀଙ୍କ ମନରେ କ୍ଷୋଭ, ଆକ୍ରୋଶ ଓ ପ୍ରତିବାଦର ସ୍ୱର । ଯେଉଁଠି ଶୁଣିବେ ସେଠି କେବଳ ଆଉ କେବଳ ଅଧ୍ୟାପକଙ୍କ ଆକ୍ରୋଶ ଦେଖିବାକୁ ମିଳୁଛି । କାରଣ ପୁଣିଥରେ ଲଜ୍ଜିତ ହୋଇଛି ବିଶ୍ୱବିଦ୍ୟାଳୟ । ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଅଶାଳୀନ ବ୍ୟବହାରକୁ ନେଇ ଉଠୁଛି ପଡୁଛି ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ସୂଚନା ଅନୁସାରେ ଏଠାରେ ପଢୁଥିବା ଜଣେ ଥାଇଲ୍ୟାଣ୍ଡ ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ଘରୁ ଡାକି ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ରବି ରଂଜନ ନାମକ ଜଣେ ଅଧ୍ୟାପକ ଏହି ଛାତ୍ରୀଙ୍କୁ ବହି ଦେବା ବାହାନାରେ ଘରକୁ ଡାକି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଶାରିରୀକ ଶୋଷଣର ଶିକାର ହୋଇ ଛାତ୍ରୀ ବିଶ୍ୱବିଦ୍ୟାଳୟକୁ ଫେରିଥିଲେ ଓ ତାଙ୍କୁ କାନ୍ଦୁଥିବା ଦେଖି ସହପାଠୀ ପଚାରିବୁଝିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ଛାତ୍ରଛାତ୍ରୀ ଅଭିଯୁକ୍ତ ଅଧ୍ୟାପଙ୍କ ବିରୋଧରେ ବିକ୍ଷୋଭ ଆରମ୍ଭ କରିବା ପରେ ଶେଷରେ ତାଙ୍କୁ ନିଲମ୍ବିତ କରାଯିବା ସହ ଗିରଫ କରାଯାଇଥିବା ଜଣାପଡିଛି । ଅନ୍ୟପଟେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାଦ ଦାବିରେ ଧାରଣାରେ ବସିଛନ୍ତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ।

ନିକଟରେ ମୁମ୍ବାଇରେ ଜଣେ କୋରିଆନ ବ୍ଲଗରଙ୍କ ସହ ଦୁର୍ବ୍ୟବହାର ଖବର ମନରୁ ଲିଭିନଥିବାବେଳେ ପୁଣି ଥରେ ଜଣେ ବିଦେଶୀଙ୍କ ସହ ଅଶାଳୀନ ବ୍ୟବହାର ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହା ପୂର୍ବରୁ କଶ୍ମୀର ବିଶ୍ୱବିଦ୍ୟାଳୟରେ ମଧ୍ୟ ଜଣେ ଛାତ୍ରୀଙ୍କ ସହ ଶାରିରୀକ ଶୋଷଣ ଖବର ଆସିଥିଲା । ଦେଶକୁ ଆସୁଥିବା ବିଦେଶୀଙ୍କ ସହ ଯଦି ଏଭଳି ବାରମ୍ବାର ଘଟେ ତେବେ ଆଗକୁ ଏହା ଦେଶର ଛବି ଉପରେ ନକରାତ୍ମକ ପ୍ରଭାବ ନିଶ୍ଚୟ ପକାଇବ । ଏହା ବିରୋଧରେ କଣ କରାଯିବା ଉଚିତ । ଏନେଇ ମାନସମନ୍ଥନର ଆବଶ୍ୟକତା ରହିଛି ।