ହିନ୍ଦୀ-ଚୀନି ଭାଇ ଭାଇ! ମୋଦିଙ୍କ ପାଇଁ ରେଡ କାର୍ପେଟ ବିଛାଇଲେ ଜିନପିଙ୍ଗ, ବିଶ୍ୱ ଦରବାରରେ ବଦଳିଯିବ କି ଏସିଆର ସମୀକରଣ

51

କନକ ବ୍ୟୁରୋ : ମାତ୍ର ୮ମାସ ତଳେ ଭୁଟାନର ଡୋକଲାମରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ ସେନା । ୭୩ ଦିନର ଉତ୍ତେଜନା ୨ ଦେଶର ସମ୍ପର୍କକୁ ନେଇ ଯେଉଁ ସଙ୍କେତ ଦେଇଥିଲା ଆଜି ଜିନପିଙ୍ଗ୍ ଓ ମୋଦିଙ୍କ ମଧ୍ୟରେ ସାକ୍ଷାତ ପରେ ସେହି ଚିତ୍ର ବଦଳି ଯାଇଛି । ବିଶ୍ୱ ଶାନ୍ତି ଓ ବିକାଶ ଦିଗରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ୨ ରାଷ୍ଟ୍ରମୁଖ୍ୟଙ୍କ ଭିତରେ ହୋଇଛି ଅନୋ÷ପଚାରିକ ସମ୍ମିଳନୀ । କୌଣସି ଏଜେଣ୍ଡା ନଥାଇ ୨ ଦିନିଆ ଚୀନ ଗସ୍ତରେ ଯାଇଥିବା ମୋଦି ରାଷ୍ଟ୍ରପତି ଜିନପିଙ୍ଗକୁ ଭାରତ ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି । ବିଶ୍ୱର ଦୁଇ ଆର୍ଥିକ ଶକ୍ତି ପରସ୍ପରର ନିକଟତର ହେଉଥିବା ନେଇ ଅନ୍ତର୍ଜାତୀୟ ସମୁଦାୟକୁ ବାର୍ତା ଦେଇଛନ୍ତି ।

ଭୁଟାନର ଡୋକଲାମରେ ଭାରତ ଓ ଚୀନ ସେନା ୭୩ ଦିନ ଧରି ମୁହାଁମୁହିଁ ହୋଇ ରହିବାର ପ୍ରାୟ ୮ମାସ ପରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚୀନ ମାଟିରେ ସ୍ୱାଗତ କରାଯାଇଛି । ଯେତେବେଳେ ଉହାନର ହୁବେଇ ମ୍ୟୁଜିୟମରେ ରେଡ କାର୍ପେଟ ବିଛାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନାଇ ରହିଛନ୍ତି ଚୀନ ରାଷ୍ଟ୍ରପତି ସି-ଜିନପିଙ୍ଗ । ଆଉ ପାରମ୍ପରିକ ନାଚ, ଗୀତରେ ଜଣାଉଛନ୍ତି ଭବ୍ୟ ସ୍ୱାଗତ । ଯାହା ବିଶ୍ୱର ଦୁଇ ପ୍ରମୁଖ ଅର୍ଥନୈତିକ ଶକ୍ତିର ସଂପର୍କରେ ବିରାଟ ପରିବର୍ତନର ସୂଚନା ଦେଉଛି ।

ଇତିହାସରେ ପ୍ରଥମଥର ପାଇଁ ଅନୌପଚାରିକ କଥାବାର୍ତା ପାଇଁ ଦୁଇଦିନିଆ ଚୀନ ଗସ୍ତରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ରୀୟ ଚୀନର ଉହାନ ସହର, ଯାହାକୁ ଭାରତର ନାଗପୁର ସହ ମଧ୍ୟ ତୁଳନା କରାଯାଏ । ଏଠାରେ ଅଛି ଚୀନ କମ୍ୟୁନିଷ୍ଟ ପାର୍ଟିର ହେଡକ୍ୱାର୍ଟର । ଏହିଠାରେ ଭେଟାଭେଟି ହୋଇଛନ୍ତି ଦୁଇ ରାଷ୍ଟ୍ରମୁଖ୍ୟ । ଦୁଇ ନେତାଙ୍କ ଭିତରେ ଆଲୋଚନା ନେଇ କୌଣସି ସରକାରୀ ଏଜେଣ୍ଡା ସ୍ଥିର ହୋଇନାହିଁ । ମୋଦି କହିଛନ୍ତି, ଦୁଇଦେଶ ମଧ୍ୟରେ ଏଭଳି ଅନୌପଚାରିକ କଥାବାର୍ତା ଏକ ପରମ୍ପରା ହେଉ ଏବଂ ଆପଣ ୨୦୧୯ରେ ଏଭଳି ଆଲୋଚନା ପାଇଁ ଭାରତ ଆସିଲେ ମୁଁ ଖୁସିହେବି । ଆଉ ଏହାର ଉତରରେ ସି- ଜିନପିଙ୍ଗ ମଧ୍ୟ କହିଥିଲେ ଯେ, ବିଶ୍ୱରେ ଶାନ୍ତି ଓ ବିକାଶ ପାଇଁ ଆମକୁ ଅଧିକ ଯୋଗଦାନ କରିବାକୁ ପଡିବ ଏବଂ ଆଗକୁ ଆମେ ଏଭଳି ଅନୌପଚାରିକ ସମ୍ମିଳନୀ କରିପାରିବା ।

ମୋଦିଙ୍କ କାର୍ଯ୍ୟକ୍ରମ ସୂଚୀ
– ପ୍ରଥମେ ଚୀନ ରାଷ୍ଟ୍ରପତି ସି-ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ୱାନ ଟୁ ୱାନ କଥାବାର୍ତା ହୋଇଛି
– ଏହାପରେ ଦୁଇପକ୍ଷର ୬ ଜଣିଆ ପ୍ରତିନିଧିଙ୍କ ମଧ୍ୟରେ ହୋଇଛି ଦ୍ୱିପାକ୍ଷୀକ କଥାବାର୍ତା
– ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ବୈଦେଶିକ ସଚିବ ବିଜୟ ଗୋଖଲେ ବି ସାମିଲ
– ଦୁଇଦିନରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୫ ରାଉଣ୍ଡ କଥାବାର୍ତା ହେବା ସୂଚନା ରହିଛି
– ଭାରତ-ଚୀନ ସଂପର୍କକୁ ଆଗେଇ ନେବା ସହ ସାରାବିଶ୍ୱ ପାଇଁ ଦୁଇ ରାଷ୍ଟ୍ର ନିଜ ନିଜର ଆଭିମୁଖ୍ୟ ସ୍ଥିର କରିବେ
– ଶନିବାର ଦୁଇ ନେତା ଇଷ୍ଟ ଲେକ ନିକଟରେ ଭ୍ରମଣ ଓ ବୋଟିଂ କରିବା କାର୍ଯ୍ୟକ୍ରମ ରହିଛି

ଚୀନ ସମ୍ବିଧାନରେ ସଂଶୋଧନ କରି ଆଜୀବନ ରାଷ୍ଟ୍ରପତି ହୋଇଥିବା ସି-ଜିନପିଙ୍ଗ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତକୁ ସାରା ବିଶ୍ୱ ଚାହିଁ ରହିଥିବାବେଳେ ବିରୋଧୀ ଦଳ ମଧ୍ୟ ଏହାକୁ ନେଇ ଟିକାଟିପ୍ପଣୀ ଆରମ୍ଭ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ କରି ଲେଖିଛନ୍ତି, ଲାଇଭ ଟିଭିରେ ଆପଣଙ୍କ ଏଜେଣ୍ଡା ନଥିବା ଚୀନ ଗସ୍ତ ଦେଖିଲି । ଆପଣ ବ୍ୟସ୍ତ ଲାଗୁଛନ୍ତି । ତୁରନ୍ତ ମନେପକାଇ ଦେବାକୁ ଚାହିଁବି ୧- ଡୋକଲାମ, ୨- ଚୀନ-ପାକିସ୍ତାନ ଇକୋ କରିଡୋର ଯାହା ପିଓକେ ଦେଇ ଯାଇଛି ଏବଂ ତାହା ଭାରତୀୟ ଭୂଖଣ୍ଡ । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତ ଆପଣଙ୍କଠାରୁ ଶୁଣିବାକୁ ଚାହୁଁଛି ।