ସନି ଲିଓନିଙ୍କୁ ମଥୁରା ମନା । ଆପତ୍ତିଜନକ ନୃତ୍ୟକୁ ନେଇ ତାତିଲେ ପୁରୋହିତ ସମ୍ପ୍ରଦାୟ ।

199

କନକ ବ୍ୟୁରୋ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କ ସଦ୍ୟତମ ଭିଡିଓ ଆଲ୍‌ବମ୍‌କୁ ନିଷେଧକ କରିବା ଲାଗି ମଥୁରାର ପୁରୋହିତମାନେ ଦାବି କରିଛନ୍ତି। ଏହି ଭିଡିଓ ଆଲ୍‌ବମ୍‌ରେ ଥିବା ପ୍ରସିଦ୍ଧ ଗୀତ ‘ମଧୁବନ୍‌ ମୈଁ ରାଧିକା ନାଚେ’ ଗୀତରେ ଆପତ୍ତିଜନକ ନୃତ୍ୟ ପରିବେଶଣ କରି ସନ୍ନି ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା କଥା ପୁରୋହିତମାନେ ଅଭିଯୋଗ କରିଛନ୍ତି।
୧୯୬୦ ମସିହାର ‘କୋହିନୂର୍‌’ ଚଳଚ୍ଚିତ୍ରରେ ଥିବା ଏହି ଗୀତଟିର ମୂଳ ଗାୟକ ହେଉଛନ୍ତି ମହମ୍ମଦ ରଫି।

ବୃନ୍ଦାବନର ସନ୍ଥ ନୱଲ ଗିରି ମହାରାଜ କହିଛନ୍ତି, ଅଭିନେତ୍ରୀଙ୍କ ବିରୋଧରେ ସରକାର ଯଦି କାର୍ୟ୍ୟାନୁଷ୍ଠାନ ଗ୍ରହଣ ଓ ତାଙ୍କ ଭିଡିଓ ଆଲ୍‌ବମ୍‌କୁ ନିଷେଧ ନ କରନ୍ତି, ଆମେ ଅଦାଲତକୁ ଯିବୁ।
ସେ ଆହୁରି ମଧ୍ୟ କହିଛନ୍ତି, ଭିଡିଓ ଆଲ୍‌ବମ୍‌ରୁ ସେ ଦୃଶ୍ୟ ପ୍ରତ୍ୟାହାର କରି ସର୍ବସାଧାରଣରେ କ୍ଷମାଭିକ୍ଷା ନ କଲେ ତାଙ୍କୁ ଭାରତରେ ରହିବାକୁ ଅନୁମତି ମିଳିବ ନାହିଁ।
‘ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭା’ର ଜାତୀୟ ଅଧ୍ୟକ୍ଷ ମହେଶ ପାଠକ ମଧ୍ୟ ଲିଓନ୍‌ଙ୍କ ଭିଡିଓ ନୃତ୍ୟକୁ ବିରୋଧ କରି କହିଛନ୍ତି, ଗୀତଟିକୁ ଅଶିଷ୍ଟ ଢଙ୍ଗରେ ଉପସ୍ଥାପନ କରି ଲିଓନ ବ୍ରଜଭୂମିର ସମ୍ମାନହାନି କରିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଦିନ ‘ସାରେଗାମା ମ୍ୟୁଜିକ୍‌’ ରିଲିଜ୍‌ କରିଥିବା ‘ମଧୁବନ’ ଶୀର୍ଷକ ତା’ର ସଦ୍ୟତମ ଭିଡିଓରେ ସନ୍ନି ଲିଓନ୍‌ କନିକା କପୁର ଏବଂ ଅରନ୍ଦମ ଚକ୍ରବର୍ତ୍ତୀ ଗାଇଥିବା ଉକ୍ତ ଗୀତରେ ନୃତ୍ୟ ପରିବେଶଣ କରିଛନ୍ତି। ଗୀତଟି ରାଧାକୃଷ୍ଣଙ୍କ ପ୍ରେମ ଆଧାରିତ ହୋଇଥିବାରୁ ଅଭିନେତ୍ରୀଙ୍କ ରୁଚିହୀନ ନୃତ୍ୟ ହିନ୍ଦୁ ଭାବାବେଗକୁ ଆଘାତ ଦେଉଛି ବୋଲି ବହୁ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ ମଧ୍ୟ କହିଛନ୍ତି।