ପୁଣି କରୋନା ନିୟମ ଭାଙ୍ଗିଲା ରେଭେନ୍ସା । ହଷ୍ଟେଲ ଶତବାର୍ଷିକୀରେ ଏକାଠି ହେଲେ ଶହ ଶହ ଛାତ୍ରଛାତ୍ରୀ, ବ୍ରହ୍ମପୁରରେ କରୋନା ନିୟମର ଧଜିଆ ଉଡାଇଲେ ଲୋକେ ।

118

କନକ ବ୍ୟୁରୋ : ପୁଣି କରୋନା ନିୟମ ଭାଙ୍ଗିଲେ ରେଭେନ୍ସା ଛାତ୍ରଛାତ୍ରୀ । କଟକଣା ଭୁଲି ଓମିକ୍ରନକୁ ଆମନ୍ତ୍ରଣ କଲେ ପିଲା । ୧୫ ତମ ଆଥଲେଟିକ୍ ମିଟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ହଜାର ହଜାର ଛାତ୍ରଛାତ୍ରୀ କରୋନା କଟକଣା ଭୁଲି ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ କଟକ ମହାନଗର ନିଗମ ରେଭେନ୍ସା କତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।

ଏପରି ସ୍ଥଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଉ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ପୂର୍ବପରି ଛାତ୍ରଛାତ୍ରୀମାନେ ନାଚଗୀତ କରୁଥିବା ଦେଖିବାକୁ ମିଳିଛି । ସାମାଜିକ ଦୂରତା ଭୁଲି ଶହ ଶହ ଛାତ୍ରଛାତ୍ରୀ ନାଚୁଥିବା ଦେଖିବାକୁ ମିଳିଛି । ରେଭେନ୍ସାର ଇଷ୍ଟ୍, ୱେଷ୍ଟ୍ ଛାତ୍ରାବାସର ୧୦୦ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜନ କରାଯାଇଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଭଳି ଭିଡ ଦେଖିବାକୁ ମିଳିଛି । ରେଭେନ୍ସା ଭଳି ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଶିକ୍ଷିତ ଛାତ୍ରଛାତ୍ରୀମାନେ କୋଭିଡ ନିୟମକୁ ଏଭଳି ପାଳନ ନ କରିବାକୁ ନେଇ ପ୍ରଶ୍ନ ଉଠିଛି । କର୍ତୃପକ୍ଷ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ପୁନର୍ବାର ଏଭଳି ଚିତ୍ର ଦେଖିବାକୁ ମିଳିଛି ବୋଲି କୁହାଯାଉଛି । ଓମିକ୍ରନ ସଂକ୍ରମଣ ବେଳେ ଏଭଳି ଦୃଶ୍ୟ ପୁଣି ଥରେ ଶିକ୍ଷାନୁଷ୍ଠାନକୁ ବନ୍ଦ ଆଡକୁ ନେଇ ଯିବାରେ ସହାୟକ ହେଉଛି ।

ଅନ୍ୟପଟେ ବ୍ରହ୍ମପୁର ପଲ୍ଲିଶ୍ରୀ ମେଳାରେ ଶେଷ ଦିନରେ ପୁଣି ଭିଡ ଦେଖିବାକୁ ମିଳିଛି । ପ୍ରବଳ ଭିଡ ହୋଇଥିବା ବେଳେ ପ୍ରଶାସନ ହାତ ଟେକି ଦେଇଥିବା ଭଳି ମନେ ହେଉଥିଲା । ମେଳାରେ ଦୁଇ ଦିନ ହେବ କୋଭିଡ ନିୟମ ଉଲ୍ଲଂଘନ ଦେଖିବାକୁ ମିଳୁଥିଲେ ମଧ୍ୟ ପୋଲିସ ଅବା ପ୍ରଶାସନ ପକ୍ଷରୁ ଏଥିପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ଯାହା ଫଳରେ ମେଳାର ଶେଷ ଦିନରେ ବି ପ୍ରବଳ ଗହଳି ଦେଖିବାକୁ ମିଳିଛି । ଓମିକ୍ରନକୁ ନେଇ ରାଜ୍ୟ ସରକାର କଟକଣା ଲଗାଉଥିବା ବେଳେ ଏଭଳି ଭିଡ କେଉଁଠି କେଉଁଠି ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତର ତାଳେ ତାଳେ ଦର୍ଶକମାନେ ନାଚୁଥିବା ଦେଖିବାକୁ ମିଳିଛି । ସବୁଠୁ ବଡ କଥା ହେଉଛି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ରହ୍ମପୁର ମହାନଗର ନିଗର କମିଶନରଙ୍କ ଭଳି ଜିଲ୍ଲା ଉଚ୍ଚପଦସ୍ଥ ଅଧିକାରୀ ବସିଥିବା ବେଳେ ଏଭଳି କୋଭିଡ ନିୟମ ଉଲଙ୍ଘନ ଦେଖିବାକୁ ମିଳିଥିଲା ।