ବିଶ୍ୱକପ୍ ହକି ପାଇଁ କମିସନରେଟ୍ ପୁଲିସର ମୁଖ୍ୟାଳୟରେ ପ୍ରସ୍ତୁତି ବୈଠକ ! ଖେଳାଳି, କଳିଙ୍ଗ ଷ୍ଟାଡିୟମ ଓ ହୋଟେଲରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା

35

କନକ ବ୍ୟୁରୋ : ଭୁବନେଶ୍ୱରରେ ବିଶ୍ୱକପ୍‌ ହକି ବେଳେ ସୁରକ୍ଷା ବନ୍ଦୋବସ୍ତ ନେଇ ଆଜି  କମିସନରେଟ୍‌ ପୁଲିସର ମୁଖ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଶେଷକରି ବିଶ୍ୱକପ୍‌ ସମୟରେ ଖେଳାଳି, କଳିଙ୍ଗ ଷ୍ଟାଡିୟମ ଓ ହୋଟେଲରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା । ବୈଠକରେ ହକି ଇଣ୍ଡିଆ  କର୍ତ୍ତୃପକ୍ଷ, କମିସନରେଟ୍‌ ପୁଲିସ, ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସ୍‌ଏଫ୍‌ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ । ଆୟୋଜକ ଭାରତ ସମେତ ୮ଟି ଦେଶର ଖେଳାଳି ଏଥିରେ ଅଂଶଗ୍ରହଣ କରିବେ । ପ୍ରତିଯୋଗିତାରେ ମୋଟ ୨୨ଟି ମ୍ୟାଚ୍‌ ଖେଳାଯିବ । ଖେଳାଳିମାନେ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇବା ପରଠାରୁ ହୋଟେଲଠୁ ନେଇ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ସବୁଠି ଖେଳାଳିମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ ।

ସେହିପରି କସମଗ୍ର କଳିଙ୍ଗ ଷ୍ଟାଡିୟମ ଓ ଏହାର ଆଖାପାଖ ଅଞ୍ଚଳକୁ ସିସି କ୍ୟାମେରା ଲେନ୍ସରେ ଅର୍ନ୍ତଭୁକ୍ତ କରିବାକୁ ମିସନରେଟ ପୁଲିସ ପକ୍ଷରୁ କ୍ରୀଡ଼ା ବିଭାଗକୁ କୁହାଯାଇଛି । ଏହି ସିସି କ୍ୟାମେରାକୁ  ଭୁବନେଶ୍ୱର ପୁଲିସ କଣ୍ଟ୍ରୋଲ ରୁମ୍‌ ସହିତ ସଂଯୋଗ କରାଯିବ। ପୁଲିସ ଏହି କଣ୍ଟ୍ରୋଲ ରୁମ୍‌ରୁ କଳିଙ୍ଗ ଷ୍ଟାଡିୟମ ଉପରେ ତୀକ୍ଷ୍‌ଣ ନଜର ରଖିବ । ଏହାଛଡ଼ା  ଷ୍ଟାଡିୟମ ନିକଟରେଏକ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ ଖୋଲିବ । ଜଣେ ଏଡିସିପି ର‍୍ୟାଙ୍କର ଅଧିକାରୀ ଏହି କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ରହିବେ । ସେହିପରି ପଡ଼ିଆ ଭିତରକୁ ପାଣି ବୋତଲ, ପାଣି ପାଉଚ୍‌ ଆଦି ଛଡ଼ାଯିବ ନାହିଁ । ଏହାଛଡ଼ା ପଡ଼ିଆ ଚାରିପଟେ ବିଭିନ୍ନ ସ୍ଥାନରେ ଦର୍ଶକମାନଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରିବାକୁ କ୍ରୀଡ଼ା ବିଭାଗ କର୍ତୃପକ୍ଷଙ୍କୁ କୁହାଯାଇଛି ।  ପାର୍କିଂ ସ୍ଥଳରେ ଉଜ୍ଜ୍ୱଳ ଲାଇଟ୍‌ ବ୍ୟବସ୍ଥା କରିବା ସହିତ କାର୍‌ ଓ ବାଇକ୍‌ ପାର୍କିଂ ଅଲଗା ଅଲଗା କରିବାକୁ କୁହାଯାଇଛି । ଯେମତି ପ୍ରବେଶପଥରେ ଭିଡ଼ ନ ରହିବ ସେଥିପାଇଁ କଳିଙ୍ଗ ଷ୍ଟାଡିୟମର ପ୍ରବେଶ ପଥରେ ବ୍ୟାରିକେଡ୍‌ କରାଯିବ। ଖେଳ ଚାଲିଥିବା ସମୟରେ ଅଗ୍ନିଶମ  କର୍ମଚାରୀମାନେ ମଧ୍ୟ ମୁତୟନ ହେବେ ।

ବିଭିନ୍ନ ଦେଶର ଖେଳାଳିମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସ୍‌ଏଫ୍‌, ହୋଟେଲ ଓ ଖେଳ ପଡ଼ିଆରେ ସେମାନଙ୍କ ସୁରକ୍ଷା ନେଇ ବୈଠକରେ ଆଲୋଚନା କରାଯାଇଥିଲା।  ପଡ଼ିଆ ନିକଟରେ କ୍ୟୁଏଟି, ଷ୍ଟ୍ରାଇକିଂ ଫୋର୍ସ, ଟ୍ରାଫିକ ପୁଲିସ ବ୍ୟାପକ ପରିମାଣର ମୁତୟନ ହେବେ ।  ଏହି ବୈଠକରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ,  ଡିସିପି ସତ୍ୟବ୍ରତ ଭୋଇ, ହକି ଇଣ୍ଡିଆ କର୍ତ୍ତୃପକ୍ଷ, ସିଆଇଏସ୍‌ଏଫ୍‌ର ଅଧିକାରୀ ଓ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।