କର୍ଣ୍ଣାଟକରେ ସଂକଟ! କିଏ ସାଥୀ, କିଏ ବାଗୀ । କଂଗ୍ରେସ କଷୁଛି ଅଙ୍କ, ବିଜେପିର ‘ଅପରେସନ ଲୋଟସ’ ?

201

କର୍ଣ୍ଣାଟକରେ କୁମାରସ୍ୱାମୀଙ୍କ ସରକାର ଭାଙ୍ଗିବାକୁ ଆରମ୍ଭ ହୋଇଛି ଅପରେସନ ଲୋଟସ । ବିଜେପି ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ଉଭୟ କଂଗ୍ରେସ ଓ ଜେଡିଏସ । ମଙ୍ଗଳବାର ଦୁଇ ସ୍ୱାଧୀନ ବିଧାୟକ କୁମାରସ୍ୱାମୀଙ୍କ ସରକାରରୁ ସମର୍ଥନ ଫେରାଇ ନେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏଭଳି ସମୟରେ ବିଜେପି ଦମ୍ଭୋକ୍ତି ଦେଖାଇ କହିଛି ଯେ, ଆଗାମୀ ଦୁଇ ଦିନ ମଧ୍ୟରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଭାଙ୍ଗିବାକୁ ଯାଉଛି ।

ଦୁଇ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନେବା ପରେ ମଧ୍ୟ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ବେଶ ନିଶ୍ଚିତ ରହିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି, ରାଜ୍ୟରେ ସ୍ଥିର ସରକାର ରହିଛି ଏନେଇ ଆପଣଙ୍କୁ ମୁଁ ନିଶ୍ଚିତ କରୁଛି । ଦୁଇ ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ଦ୍ୱାରା ସରକାର ଉପରେ କୌଣସି ବିପଦ ଆସିବ ନାହିଁ । ଏସବୁ ଭିତରେ ଜେଡିଏସ ମୁଖ୍ୟ ଏଚଡି ଦେବଗୌଡା ବିଜେପି  ଉପରେ ଘୋଡାବେପାର କରୁଥିବା ଅଭିଯୋଗ ଆଣିଛନ୍ତି ।

କର୍ଣ୍ଣାଟକ ରାଜନୀତିର ଏହି ତାତି ଭିତରେ ୧୮ ଜାନୁଆରୀରେ କଂଗ୍ରେସ ଦଳ ବେଙ୍ଗାଲୁରରେ ନିଜ ବିଧାୟକ ମାନଙ୍କୁ ନେଇ ଏକ ବୈଠକ ଡାକିଛି । ଶୁକ୍ରବାର ଅପରାହ୍ନରେ ହେବାକୁ ଥିବା ଏହି ବୈଠକ ପରେ ସ୍ପଷ୍ଟ ହୋଇଯିବ ଯେ, ପ୍ରକୃତରେ କଂଗ୍ରେସ ସହ କେତେ ବିଧାୟକ ରହିଛନ୍ତି ଓ କେତେ ଜଣ ବିଧାୟକ ଅନ୍ୟ ପାର୍ଟି ସହ ଯୋଗାଯୋଗରେ ଅଛନ୍ତି ।

ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି, ମୁମ୍ବାଇରେ ଥିବା କଂଗ୍ରେସ ବିଧାୟକଙ୍କ ସହ ସର୍ମ୍ପକ ହୋଇ ପାରିନାହିଁ । ତେବେ ଜୋର ଦେଇ କହିଛନ୍ତି, କଂଗ୍ରେସ ବିଧାୟକ ମିଡିଆ ଠାରୁ ଦୂରରେ ରହିଛନ୍ତି, କିନ୍ତୁ ମୋ’ ସହ ସର୍ମ୍ପକରେ ରହିଛନ୍ତି । ମୁଁ ସମସ୍ତଙ୍କ ସହ କଥା ହୋଇଛି । ଖୁବଶୀଘ୍ର ସମସ୍ତେ କର୍ଣ୍ଣାଟକ ଫେରିଆସିବେ  । କର୍ଣ୍ଣାଟକରେ ମେଣ୍ଟ ସରକାରକୁ କୌଣସି ବିପଦ ନାହିଁ ।

କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ବିଏସ ୟେଦ୍ୟୁରପ୍ପା କହିଛନ୍ତି, ରାଜ୍ୟରେ କଂଗ୍ରେସ ଓ ଜେଡିଏସ ମଧ୍ୟରେ ଯେଉଁ କଳହ ଲାଗି ରହିଛି ସେଥିରେ ଆପଣାଛାଏଁ ସରକାର ଭାଙ୍ଗିଯିବ । ତେବେ ଏହାପୂର୍ବରୁ ବିଜେପିର ୧୦୪ ବିଧାୟକଙ୍କୁ ଏକ ରିସୋର୍ଟରେ ରଖାଯାଇଛି ।

କଣ କହୁଛି କର୍ଣ୍ଣାଟକ ଗଣିତ :

୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ଆସନରୁ ବିଜେପି ୧୦୪ଟି ସିଟ୍ ଜିତିଥିବା ବେଳେ କଂଗ୍ରେସ ୭୯ ଓ ଜେଡିଏସ ୩୭ ଆସନରେ ବାଜିମାତ କରିଥିଲା । ତେବେ କୌଣସି ଦଳକୁ ମ୍ୟାଜିକ ନମ୍ବର ନ ମିଳିବାରୁ କଂଗ୍ରେସ-ଜେଡିଏସ ଏକାଠି ହୋଇ ମେଣ୍ଟ ସରକାର ଗଢିବା ସହ ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବାକୁ ସକ୍ଷମ ହୋଇଥିଲେ ।