ସାମୁଦ୍ରିକ ସୁରକ୍ଷା ଉପରେ ଜାତିସଂଘ ବିତର୍କରେ ମତ ରଖିଲେ ପ୍ରଧାନମନ୍ତ୍ରୀ । କହିଲେ ସାମୁଦ୍ରିକ ପଥ ଅନ୍ତର୍ଜାତୀୟ ବାଣିଜ୍ୟର ପ୍ରମୁଖ ମାଧ୍ୟମ, ସୁରକ୍ଷା ନେଇ ଦେଲେ ୫ ମନ୍ତ୍ର ।

166

କନକ ବ୍ୟୁରୋ : ସାମୁଦ୍ରିକ ସୁରକ୍ଷା ଉପରେ ଜାତିସଂଘ ବୈଠକକୁ ଉଦବୋଧନ ଦେଇ ମିଳିତ ଭାବେ ସମସ୍ୟାର ସମାଧାନ କରିବାକୁ ସମସ୍ତ ଦେଶକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଯୋଗେ ଏହି ଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାମୁଦ୍ରିକ ପଥ ଏକ ଅନ୍ତର୍ଜାତୀୟ ବାଣିଜ୍ୟର ପ୍ରମୁଖ ମାଧ୍ୟମ । ପୃଥିବୀର ସୁରକ୍ଷା ପାଇଁ ସମୁଦ୍ରର ସୁରକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ । ଏବେ ସମୁଦ୍ର ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛି । ସାମୁଦ୍ରିକ ଜଳପଥକୁ ଲୁଟ ଓ ଆତଙ୍କବାଦରେ ଅପବ୍ୟବହାର କରାଯାଉଛି । ସାମୁଦ୍ରିକ ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ୫ ସୂତ୍ରୀ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।

ସାମୁଦ୍ରିକ ବେପାର ବାଣିଜ୍ୟ କ୍ଷେତ୍ରରେ କଟକଣାକୁ କୋହଳ କରାଯିବା ଦରକାର । ଏହାସହ ସାମୁଦ୍ରିକ ଜଳପଥକୁ ନେଇ ଦେଖାଦେଉଥିବା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ଅନ୍ତର୍ଜାତୀୟ ନିୟମ ଅନୁସାରେ ସମାଧାନ କରାଯିବା ଦରକାର । ଏହାସହ ଜଳପଥରେ ଅଧିକ ଯୋଗାଯୋଗ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ସାମଦ୍ରିକ କ୍ଷେତ୍ରରେ ଦେଖାଯାଉଥିବା ବିପଦକୁ ମିଳିତ ଭାବେ ମୁକାବିଲା କରାଯିବା ଦରକାର । ଏହାସହ ସାମୁଦ୍ରିକ ପରିବେଶ ଓ ସାମୁଦ୍ରିକ ଉତ୍ସକୁ ସୁରକ୍ଷିତ ରଖିବାକୁ ସବୁପ୍ରକାର ଉଦ୍ୟମ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାମଦ୍ରିକ ସୁରକ୍ଷା କ୍ଷେତ୍ରରେ ଭାରତର ଅବଦାନକୁ ମଧ୍ୟ ମୋଦି ଦର୍ଶାଇଥିଲେ । ଜାତିସଂଘ ସୁରକ୍ଷା ପରିଷଦର ଏହି ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ ।