ସୁନାପୁଅଙ୍କୁ କାହାଣୀକୁ ନେଇ ପ୍ରସ୍ତୁତ ହେବ କି ସିନେମା ? ନୀରଜ ଚୋପ୍ରାଙ୍କ ସଂଘର୍ଷର କାହାଣୀକୁ ପରଦାରେ ଦେଖିବାକୁ ପ୍ରଂଶସକଙ୍କ ଇଚ୍ଛା ।

130

କନକ ବ୍ୟୁରୋ : ସ୍ୱର୍ଣ୍ଣ ପଦକ ଜିତି ସମଗ୍ର ଭାରତବାସୀଙ୍କ ମନ ଜିଣି ନେଇଥିବା ନୀରଜ ଚୋପ୍ରାଙ୍କ ଉପରେ ଏବେ ସଭିଁଙ୍କ ନଜର । ଅନେକ ପରିଶ୍ରମ କରି ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି ନୀରଜ । ଆଉ ତାଙ୍କର ଏହି ଯାତ୍ରାକୁ ସିନେମା ପରଦାରେ ଦେଖିବା ପାଇଁ ଅନେକ ପ୍ରଶଂସକ ଇଚ୍ଛା ପ୍ରକାଶ କରିଛନ୍ତି । ହେଲେ ନିଜ ଉପରେ ବାଓପିକ୍ ପ୍ରସ୍ତୁତକୁ ନେଇ ଏବେ ରାଜିନାହାନ୍ତି ନୀରଜ ।

ନୀରଜ ଚୋପ୍ରା ଅଲିମ୍ପିକ୍ସରେ ଇତିହାସ ରଚିଲେ । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ଆଣି ସାରା ଭାରତବାସୀଙ୍କୁ ଗର୍ବିତ କରିଛନ୍ତି ନୀରଜ । ଆଉ ନିଜ ଉପଲବ୍ଧିକୁ ନେଇ ଏବେ ଖୁସି ପାଳୁଛନ୍ତି ନୀରଜ । ଭାରତ ପହଞ୍ଚିବା ପରେ ନୀରଜ ଚୋପ୍ରାଙ୍କୁ କରାଯାଉଛି ଜୋରଦାର ସ୍ୱାଗତ । ନିଜର ଅନୁଭୂତି ବଖାଣି ନୀରଜ କହିଛନ୍ତି ତାଙ୍କ ପାଇଁ ସବୁଠାରୁ ଗୌରବମୟ ସମୟ ସେଟା ଥିଲା, ଯେତେବେଳେ ସେ ପୋଡିଅମରେ ଗୋଲ୍ଡ ମେଡାଲ ପିନ୍ଧି ଛିଡା ହୋଇଥିଲେ ଏବଂ ଆମର ଜାତୀୟ ସଙ୍ଗୀତ ବାଜୁଥିଲା । ଆଉ ଷ୍ଟାଡିୟମରେ ସବୁଠୁ ଉପରେ ତ୍ରୀରଙ୍ଗା ଉଡୁଥିଲା ।

ନୀରଜ କହିଛନ୍ତି ଆଗକୁ ଭାରତୀୟ ଆଥଲେଟ୍ ମାନଙ୍କ ପାଇଁ ବହୁତ ଭଲ ସମୟ ଆସୁଛି । ଟାଇମ୍ସ ଅଫ ଇଣ୍ଡିଆକୁ ବ୍ୟକ୍ତିଗତ ଇଣ୍ଟରଭ୍ୟୁ ଦେବା ସମୟରେ ନୀରଜ ଏପରି କହିଛନ୍ତି । ନିଜ ଫାଇନାଲ ମ୍ୟାଚର ଅନୁଭୂତି ବଖାଣି ନୀରଜ କହିଛନ୍ତି, ସେତେବେଳେ ମୋ ମନରେ କେବଳ ଗୋଟିଏ କଥା ଥିଲା । ମତେ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାର ଅଛି । ଯେତେବେଳେ ନୀରଜଙ୍କୁ ତାଙ୍କ ଉପରେ ବାଓପିକ୍ ଆସିବା ନେଇ ପ୍ରଶ୍ନ କରାଗଲା, ସେତେବେଳେ ନୀରଜ କହିଥିଲେ, ମୁଁ ଏବେ କେବଳ ମୋର ଖେଳ ଉପରେ ଫୋକସ୍ କରିବି । ଆଗକୁ ମତେ ଆହୁରି ବହୁତ କିଛି ଲକ୍ଷ ହାସଲ କରିବାର ଅଛି । ବାଓପିକ୍ ହେବା ପାଇଁ ଆହୁରି ଅନେକ ସମୟ ବାକି ଅଛି । ସ୍ୱର୍ଣ୍ଣ ପଦକ ଜିତିବା ପରେ ସୋସିଆଲ ମିଡିଆରେ ନୀରଜଙ୍କ ଚାହିଦା ଖୁବ ବଢି ଯାଇଛି । ତାଙ୍କର ଫଲୋଅର ସଂଖ୍ୟା ବେଶ ବଢିଯାଇଛି । ଏବେ ନୀରଜ ଜଣେ ୟୁଥ ଆଇକନ୍ ଭାବେ ଜଣା ଯାଉଛନ୍ତି ।