ଟଙ୍କା ଭର୍ତ୍ତି କଲେ ବାହାରୁଛି ପେଟ୍ରୋଲ ! ଚର୍ଚ୍ଚାରେ କେନ୍ଦୁଝରର ପେଟ୍ରୋଲ ଏଟିଏମ ମେସିନ୍ ।

183

କନକ ବ୍ୟୁରୋ: କୁହାଯାଏ-ସଂକଟ ହିଁ ସୁଯୋଗ ସୃଷ୍ଟି କରେ । ନୂଆ ସଂଭାବନା ଆଡକୁ ବାଟ ଦେଖାଏ । ଏହି କଥାକୁ ସତ କରିଛନ୍ତି କେନ୍ଦୁଝର ଜିଲ୍ଳା ବ୍ରାହ୍ମଣୀପାଳର ଜଣେ ଆଦିବାସୀ ଯୁବକ । ଯାହାଙ୍କର ନାଁ ହେଉଛି ଜିତେନ୍ଦ୍ର ହେମ୍ବ୍ରମ । କେବଳ ମାଟ୍ରିକ୍ ପାସ୍ କରିଥିବା ଏହି ଯୁବକ, ଉଦ୍ଭାବନ କରିଛନ୍ତି ପେଟ୍ରୋଲ ଏଟିଏମ୍ । ଯାହାକୁ ନେଇ ଏବେ ସାରା ଅଂଚଳରେ ଚର୍ଚ୍ଚା ।

ଏହି ପେଟ୍ରୋଲ ଏଟିଏମ ଉଦ୍ଭାବନ କରିଥିବା ଯୁବକ ଜଣକ ହେଉଛନ୍ତି କେନ୍ଦୁଝର ହରିଚନ୍ଦନପୁର ବ୍ଲକର ଘେରା ଗ୍ରାମର ଆଦିବାସୀ ଜିତେନ୍ଦ୍ର ହେମ୍ବ୍ରମ । ଶିକ୍ଷାଗତ ଯୋଗ୍ୟାତା ମାତ୍ର ମାଟ୍ରିକ ପାସ୍ କିନ୍ତୁ ସେ ଏପରି କାର୍ଯ୍ୟ କରି ଦେଖାଇଛନ୍ତି ଯାହାକି ସମସ୍ତଙ୍କୁ ଚକିତ କରିପକାଇଛି । ଆଖପାଖ ଅଂଚଳରେ ପେଟ୍ରୋଲ ପମ୍ପ ନଥିଲା, ଯେଉଁଥି ପାଇଁ ଏହି ଅଂଚଳର ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ପାଖରେ ପେଟ୍ରୋଲ ପମ୍ପ କହିଲେ, ୨୦ କିଲୋମିଟର ଦୂର ଡୁବୁରିରେ ଥିଲା । ଏହି ସମସ୍ୟାକୁ ଦୃଷ୍ଟିରେ ରଖି, ଏମିତି ଏକ ମେସିନ୍ ଉଦ୍ଭାବନ କରିବାକୁ ଆଗେଇ ଆସିଥିଲେ ଜିତେନ୍ଦ୍ର ମୁର୍ମୁ, ଯେଉଁଥିରେ ଟଙ୍କା ଭର୍ତି କଲେ ଏଟିଏମ୍ ଭଳି ପେଟ୍ରୋଲ ବାହାରି ପାରୁଛି ।

ସେପଟେ ଜିତେନ୍ଦ୍ରଙ୍କ କହିବା ମୁତାବକ, କିଛି ପୁରୁଣା ଇଲେକଟ୍ରୋନିକ୍ସ ସରଞ୍ଜାମ ସଂଗ୍ରହ କରି ଲାଗିପଡିଥିଲେ ନିଜ କାର୍ଯ୍ୟରେ । ଦିର୍ଘ ୬ ମାସ ପରେ ଜିତେନ୍ଦ୍ରଙ୍କୁ ସଫଳତା ମିଳିଛି । । ସେ ଉଦ୍ଭାବନ କରିଥିବା ମେସିନରେ ୫୦ ଟଙ୍କିଆ ଓ ୧୦୦ ଟଙ୍କିଆ ନୋଟ୍ ପକାଇଲେ ସେହି ପରିମାଣର ପେଟ୍ରୋଲ ପାଇପାରୁଛନ୍ତି ଗ୍ରାହକ । ଅନ୍ୟପଟେ ଏହି ମେସିନକୁ ଦେଖିବାକୁ ଏବେ ଲୋକଙ୍କ ଭିଡ ଲାଗୁଛି । ଏହାକୁ ଆହୁରି ଉନ୍ନତି କରଣ କରାଯାଇପାରିେଲେ ଭବିଷ୍ୟତରେ ଏହା ପେଟ୍ରୋଲ ଏଟିଏମର କାର୍ଯ୍ୟ କରିପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।