ଭକ୍ତି ଆଗରେ ଟଙ୍କା ତୁଚ୍ଛ ! ଜଗନ୍ନାଥଙ୍କୁ ଫ୍ଲାଟ ଦାନ କଲେ ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ

267

କନକ ବ୍ୟୁରୋ : ସୃଷ୍ଟିର ସ୍ରଷ୍ଟ୍ରାକୁ ପୂର୍ବତନ ଜିଲ୍ଲାପାଳଙ୍କ ଫ୍ଲାଟ ଭେଟି । ପ୍ରତିଦିନ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଭକ୍ତ ମାନେ ମୂଲ୍ୟବାନ ଜିନିଷ ଭେଟି ଲଗାଉଥିବା ବେଳେ ଏବେ ଜଣେ ପୂର୍ବତନ ଜିଲ୍ଲାପାଳ ନିଜର ଫ୍ଲାଟ ଭେଟି ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସ୍ନାନ ପୂର୍ଣ୍ଣିମାରେ ନିଜେ ରହୁଥିବା ଫ୍ଲାଟକୁ ଶ୍ରୀଜଗନ୍ନାଥଙ୍କୁ ଦାନକଲେ ଓଡ଼ିଶାର ପ୍ରଥମ ମହିଳା କଲେକ୍ଟର । ସେ ହେଲେ ଶ୍ରୀମତୀ ଚନ୍ଦ୍ରମଣି ନାରାୟଣସ୍ୱାମୀ । ପରିଣତ ବୟସରେ ବର୍ତ୍ତମାନ ଭୁବନେଶ୍ୱରର ଓଲଡ ଟାଉନରେ ରହୁଥିବା ଚନ୍ଦ୍ରମଣି ନିଜର ଫ୍ଲାଟକୁ ଜଗନ୍ନାଥଙ୍କୁ ଦାନ କରିବା ପାଇଁ ୱିଲ୍ କରିଛନ୍ତି । କେରଳରେ ପାଠ ପଢ଼ିଥିଲେ ସୁଦ୍ଧା ଓଡ଼ିଶା ଓ ଜଗନ୍ନାଥଙ୍କ ସହ ତାଙ୍କର ସଂପର୍କ ଏଭଳି କାମ ପାଇଁ ତାଙ୍କୁ ପ୍ରେରଣା ଦେଇଥିବା କହିଛନ୍ତି ଚନ୍ଦ୍ରମଣି ।

୧୯୬୩ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ହେଲେ ଚନ୍ଦ୍ରମଣି ନାରାୟଣସ୍ୱାମୀ- ଓଡ଼ିଶାର ପ୍ରଥମ ମହିଳା ସଚିବ, ଆଉ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ ବା ସାଟର ପ୍ରଥମ ମହିଳା ଅଧ୍ୟକ୍ଷ । ଭୁବନେଶ୍ୱର ଓଲଡଟାଉନ୍ ବିବେକାନନ୍ଦ ମାର୍ଗରେ ଥିବା ସ୍ନେହଲତା ଆପାର୍ଟମେଂଟରେ ବହୁବର୍ଷ ହେଲା ରହୁଛନ୍ତି ଚନ୍ଦ୍ରମଣି । ଆଇଏଏସ୍ ପାଇବା ପରେ ପ୍ରଥମେ ପୁରୀର ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ ସେ । ତା’ ପରେ ୧୯୬୪ରେ ସେ କଳାହାଣ୍ଡିରେ ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ । ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ ।

କେରଳ ବିଶ୍ୱବିଦ୍ୟାଳୟରୁ ଗଣିତରେ ସ୍ୱର୍ଣ୍ଣପଦକ ପାଇବା ପରେ ୧୯୬୩ରେ ଆଇଏସ୍ ପାଇଥିଲେ ଚନ୍ଦ୍ରମଣି । ଇଂରାଜୀରେ ବି ଟପ୍ପର ହୋଇ ସ୍ୱର୍ଣ୍ଣପଦକ ପାଇଥିଲେ । ଓଡ଼ିଶା ଶାସନରେ ବିଭିନ୍ନ ବିଭାଗର ସଚିବ ଭାବେ କାମ କରିବା ଭିତରେ ତାଙ୍କର ରହିଥିଲା ସାହିତ୍ୟ ଓ ଭାଷା ପ୍ରତି ଅତ୍ୟଧିକ ଅନୁରାଗ । କେବଳ ତାମିଲ, ମାଲାୟଲୟମ୍, ଇଂରାଜୀ, ହିନ୍ଦୀ ନୁହେଁ; ଓଡ଼ିଶାରେ ରହି ଓଡ଼ିଆ ଭାଷାକୁ ଭଲ ପାଇଥିଲେ ଚନ୍ଦ୍ରମଣି । ସେ ୪୦ରୁ ଅଧିକ ଇଂରାଜୀ ପୁସ୍ତକ ରଚନା ଭିତରେ ୧୦ରୁ ଅଧିକ ଓଡ଼ିଆ ଗଳ୍ପ, ଉପନ୍ୟାସ, କବିତା ପୁସ୍ତକକୁ ଇଂରାଜୀରେ ଅନୁବାଦ କରିଛନ୍ତି । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ ଅଖିଳ ମୋହନ ପଟ୍ଟନାୟକଙ୍କ “ଓ ଅନ୍ଧଗଳି’’ର ଅନୁବାଦ- “ବ୍ଲାଇଣ୍ଡ୍ ଆଲି’ ହେଉ କି “ସିଲେକ୍ଟେଡ୍ ଷ୍ଟୋରିଜ୍ ଅଫ୍ ସୁରେନ୍ଦ୍ର ମହାନ୍ତି’’ ସବୁଥିରେ ସେ ଦେଖାଇଛନ୍ତି ଓଡ଼ିଆ ଭାଷା ପ୍ରତି ରହିଥିବା ଅନୁରାଗ ।

“ପ୍ରଥମେ ଓଡ଼ିଆ ଖବରକାଗଜ ପଢ଼ିଲି, ମାତ୍ର ପରେ କା’, “ମାଟି ମଟାଳ’ ପରି ଅନେକ ଓଡ଼ିଆ କ୍ଲାସିକ୍ ପଢ଼ି ଓଡ଼ିଆରେ ଅନୁବାଦ ଓ ଲେଖାପାଇଁ ଦକ୍ଷତା ହାସଲ କଲି,’’ ବୋଲି କୁହନ୍ତି ଚନ୍ଦ୍ରମଣି ନାରାୟଣସ୍ୱାମୀ । ଜଣକର ଆଗ୍ରହ ରହିଲେ ସେ ଅନେକ ଭାଷା ଶିଖିପାରିବ ବୋଲି କୁହନ୍ତି ଚନ୍ଦ୍ରମଣି । ଏଥିପାଇଁ ତାଙ୍କୁ କୁନ୍ତଳାକୁମାରୀ ଭାରତୀ ସମ୍ମାନ, ଓଡ଼ିଶା ଲେଖିକା ସଂସଦ ସମ୍ମାନ, କାଦମ୍ବିନୀ ସାରସ୍ୱତ ସମ୍ମାନ ଭଳି ଅନେକ ପୁରସ୍କାର ଓ ସମ୍ମାନ ମିଳିଛି ।ରୋଟାରୀ ସହ ସାମିଲ ହୋଇ ଅନେକ ଦାତବ୍ୟ କାର୍ଯ୍ୟରେ ଜଡ଼ିତ ହୋଇଥିବା ଚନ୍ଦ୍ରମଣି ପୁରୀରେ କାର୍ଯ୍ୟ କରିବା ଦିନଠାରୁ ଜଗନ୍ନାଥଙ୍କ କୃପା ଲାଭ କରିଥିବା କହିଛନ୍ତି । ଜୀବନରେ ଯାହାବି କିଛି ପାରିବାରିକ ସମସ୍ୟା ଆସିଛି, ସେ ସବୁଥିରେ ଜଗନ୍ନାଥ ତାଙ୍କୁ ସୁରକ୍ଷା ଦେଇଛନ୍ତି ବୋଲି ବିଶ୍ୱାସ କରନ୍ତି ଚନ୍ଦ୍ରମଣି ।