ଭିଜିଲାନ୍ସ ବିଭାଗର କାମ କମ ହାୱା ବେଶୀ : ଚାର୍ଜସିଟ ଦାଖଲ କରିନପାରିବାରୁ ପୁଲିସ ହାଉସିଂ ନିଗମ ଅଧିକାରୀଙ୍କୁ ମିଳିଲା ବେଲ୍, ସେପଟେ ଜେରାବେଳେ ଛାତରୁ ଡେଇଁ ଫେରାର ହୋଇଗଲେ କନଷ୍ଟେବଳ

141

କନକ ବ୍ୟୁରୋ : ଭିଜିଲାନ୍ସ ବିଭାଗର କାମ କମ , ହାୱା ବେଶୀ । ଦୁଇ ଦୁଇଟି ଘଟଣା ଏହା ପ୍ରମାଣିତ କରିଛି । ପୁଲିସ ହାଉସିଂ ନିଗମ ଅଧିକାରୀ ପ୍ରତାପ ସାମଲ ଓ ଗତକାଲି ଗିରଫ କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ କ୍ଷେତ୍ରରେ ଏଭଳି କିଛି ପ୍ରମାଣିତ କରୁଛି । ଭିଜିଲାନ୍ସ ଇତିହାସରେ ସବୁଠାରୁ ବଡ ଚଢାଉ ଥିଲା ଓଡିଶା ରାଜ୍ୟ ଆରକ୍ଷୀ ନିର୍ମାଣ ଓ କଲ୍ୟାଣ ନିଗମର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଘରେ ରେଡ୍ । ନଭେମ୍ବର ୯ ତାରିଖରେ ଏହି ରେଡ୍ ହୋଇଥିଲା । ଚଢଉ ପରଦିନ ତାଙ୍କୁ ଗିରଫ କରାଯାଇଥିଲା ।

ଚଢଉ ବେଳେ ପ୍ରତାପ ଓ ତାଙ୍କ ସମ୍ପର୍କୀୟଙ୍କ ୧୬ କୋଟି ଟଙ୍କାର ସମ୍ପତି ଠାବ କରିଥିଲା । ଏଥିରୁ ମାତ୍ର ୧ କୋଟି ୧୩ ଲକ୍ଷ ସମ୍ପତିର ହିସାବ ମିଳିଥିଲା । ଏଥି ମଧୟରେ ଥିଲା ୫ଟି କୋଠା, ଗୋଟିଏ ଫ୍ଲାଟ ଓ ଭଦ୍ରକରେ ୪ଟି ପ୍ଲଟ । ତେବେ ଭିଜିଲାନ୍ସ ଚାର୍ଜସିଟ ଦାଖଲ କରିନପାରିବାରୁ ପ୍ରତାପ ସାମଲ ଶେଷରେ ଜାମିନରେ ମୁକୁଳିଛନ୍ତି । ତେବେ ଏତେ ବଡ ଚଢାଉ କରି ଭିଜିଲାନ୍ସ କିଭିଳି ଚାର୍ଜସିଟ ଦାଖଲ କରିପାରିଲାନି ସେ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେହିଭଳି ଆଉ ଏକ ଘଟଣା ହେଲା ଓଡିଶା ସଶସ୍ତ୍ର ବାହିନୀର କାର୍ଯ୍ୟରତ କନଷ୍ଟେବଳ ନିହାର ରଞ୍ଜନ ଦଣ୍ଡାପାଟ । ସେ ମୟୁରଭଞ୍ଜ ଏସପି ଅଫିସରେ ନିୟୋଜିତ ଥିଲେ । କିନ୍ତୁ ତାଙ୍କ ଘରୁ ମିଳିଛି କୋଟିଏ ୨୭ ଲକ୍ଷରୁ ଅଧିକ ଟଙ୍କା । ସବୁଠାରୁ ବଡ କଥା ହେଲା, ଘର ଉପରେ ସେ ସୁଇମିଂ ପୁଲ ତିଆରି କରିଥିଲେ । ଚଢାଉ ପରେ ସେ ନିହାର ରଂଜନ ଦଣ୍ଡପାଟ ଗିରଫ ହୋଇଥିଲେ । ଆଉ ଜେରାବେଳେ ସେ ଛାତରୁ ଡେଇଁ ଫେରାର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୁରକ୍ଷା କର୍ମୀ ଥାଉ ତାଉ ସେ କିଭଳି ଫେରାର ହେଲେ ସେ ନେଇ ଭିଜିଲାନ୍ସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।