ହରିଦ୍ୱାର ଘୃଣ୍ୟ ଭାଷଣ ମାମଲା; ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ, ୧୦ ଦିନ ଭିତରେ ମାଗିଲେ ଜବାବ

103

କନକ ବ୍ୟୁରୋ : ୧୦ ଦିନ ମଧ୍ୟରେ ‘ଧର୍ମ ସଂସଦ’ ଘୃଣ୍ୟ ଭାଷଣ ମାମଲାରେ ଜବାବ ଦାଖଲ କରିବା ଲାଗି ଆଜି ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ଅଞ୍ଜନା ପ୍ରକାଶ ଏବଂ ସାମ୍ବାଦିକ କୁର୍ବାନ୍‌ ଅଲିଙ୍କ ପିଟିସନ୍‌ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ଉପରୋକ୍ତ ନୋଟିସ୍‌ ଜାରି କରିଛନ୍ତି।

ତେବେ ଏହି ମାମଲାରେ ଆବେଦନକାରୀମାନେ ଏଭଳି ସମାବେଶ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନୋଡାଲ୍‌ ଅଫିସରମାନଙ୍କୁ ନିଯୁକ୍ତ କରିବା ଲାଗି ପୂର୍ବରୁ ଗୃହୀତ ହୋଇଥିବା ରାୟଗୁଡ଼ିକର ଦୃଷ୍ଟାନ୍ତ ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଏ କ୍ଷେତ୍ରରେ କୌଣସି ନୋଡାଲ୍‌ ଅଫିସରଙ୍କୁ ନିଯୁକ୍ତି ଦିଆଯାଇନାହିଁ। ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ପାଳନ କରାଯାଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଓକିଲ କପିଲ୍‌ ସିବଲ୍‌ ମଧ୍ୟ କହିଛନ୍ତି ଯେ, ଅଧିକ ସଂଖ୍ୟକ ଧର୍ମ ସଂସଦ ହେବ ବୋଲି ଘୋଷଣା କରାଯାଇଛି। ଆଗାମୀ ସଂସଦ ହେବା କିଛି କରାଯିବା ଉଚିତ।  ଡିସେମ୍ବର ୧୯ରୁ ୧୯ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ଅନୁଷ୍ଠିତ ଧର୍ମ ସଂସଦରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦିଆଯାଇଛି। ହିନ୍ଦୁ ରାଷ୍ଟ୍ର ଡାକରା ଦେଇ କେତେକ ଧାର୍ମିକ ନେତା ସଂଖ୍ୟାଲଘୁମାନଙ୍କ ବିରୋଧରେ ଅସ୍ତ୍ର ଧରିବାକୁ ଆହ୍ବାନ ଦେଇଛନ୍ତି ବୋଲି ସେ କହିଛନ୍ତି। ତେବୋ ଘୃଣ୍ୟ ଭାଷଣ ବିରୋଧରେ ନିଜଆଡୁ ମାମଲା ଚଳାଇବା ଲାଗି ପୂର୍ବରୁ ମଧ୍ୟ ସୁପ୍ରିମ୍‌ କୋର୍ଟର ପ୍ରାୟ ୭୬ଜଣ ଓକିଲ ଭାରତର ପ୍ରଧାନ ବିଚାରପତି ଏନ୍‌ଭି ରମନାଙ୍କୁ ପତ୍ର ଲେଖିଥିଲେ।