ଓଡ଼ିଶା ହରିଣକୁ ଖାଇବ ମଧ୍ୟପ୍ରଦେଶ ବାଘ ! ଜୈବ ସନ୍ତୁଳନ ପାଇଁ ପଦକ୍ଷେପ ନେବେ ସରକାର

50

କନକ ବ୍ୟୁରୋ : ଓଡ଼ିଶାକୁ ଆସିବେ ମହାବଳ ବାଘ । ଅନ୍ୟ ରାଜ୍ୟରୁ ବାଘ ଆଣି ଓଡ଼ିଶା ଜଙ୍ଗଲରେ ଛଡାଯିବ । ଏଥିପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ । ରାଜ୍ୟରେ ବାଘ ସଂଖ୍ୟା କମ୍ ଥିବା ଦୃଷ୍ଟିରୁ ଜୈବ ସନ୍ତୁଳନ ବିଗିଡି ଯାଉଛି । ଫଳରେ ବ୍ୟାଘ୍ର ଅଭୟାରଣ୍ୟରେ ହରିଣ, ସମ୍ଭର ଭଳି ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । ପ୍ରାଥମିକ ପର୍ଯ୍ୟାୟରେ ଏ ନେଇ ରାଜ୍ୟ ସରକାର ମଧ୍ୟପ୍ରଦେଶ ସରକାରଙ୍କୁ ଅନୁରୋଧ କରି ଚିଠି ଲେଖିବେ । ଏହି ବାଘଙ୍କୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଛଡାଯିବ ।

ମଧ୍ୟପ୍ରଦେଶ ସରକାର ଏଥିପାଇଁ ସବୁଜ ସଙ୍କେତ ଦେଲେ ଆସନ୍ତା ବର୍ଷ ପ୍ରଥମରୁ ସାତକୋଶିଆକୁ ଆସିବେ ଦୁଇଟି ବାଘ । ଏ ନେଇ ଜଙ୍ଗଲ ବିଭାଗ ଓ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମସ୍ତ ସର୍ବେକ୍ଷଣ କାର୍ଯ୍ୟ ଶେଷ ହୋଇଛି । ବାଘ ସ୍ଥାନାନ୍ତରଣ ପୂର୍ବରୁ ସେମାନଙ୍କ ପ୍ରାକୃତିକ ଆବାସ ସ୍ଥଳୀ ଓ ଖାଦ୍ୟ ଉପଲବ୍ଧତା ଅନୁଧ୍ୟାନ ମଧ୍ୟ କରାଯାଇଛି ।

ସର୍ଭେ ଅନୁସାରେ ସାତକୋଶିଆରେ ବର୍ତ୍ତମାନ ୧୫ଟି ବାଘ ରହିପାରିବେ ବୋଲି ଆକଳନ କରାଯାଇଛି । ତେବେ ସମୁଦାୟ ୬ଟି ବାଘ ଏଠାରେ ରଖାଯିବା ପାଇଁ ଯୋଜନା କରାଯାଉଛି । ଦରକାର ପଡିଲେ ମୁଖ୍ୟମନ୍ତ୍ରୀ ସ୍ତରରେ ମଧ୍ୟ ଏ ନେଇ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୬ରେ କରାଯାଇଥିବା ବାଘ ଗଣନା ଅନୁଯାୟୀ ସାତକୋଶିଆରେ ମାତ୍ର ଗୋଟିଏ ମହାବଳ ବାଘ ଅଛି । ତେଣୁ ଏହି ପ୍ରକ୍ରିୟା ଦ୍ୱାରା ବାଘ ବଂଶ ବୃଦ୍ଧି ହେବା ସହ ଜଙ୍ଗଲକୁ ଶୀକାରୀଙ୍କ ଅନଧିକାର ପ୍ରବେଶ ଉପରେ ମଧ୍ୟ ରୋକ ଲାଗିପାରିବ ବୋଲି ସରକାର ଆଶା ରଖିଛନ୍ତି ।