ନିର୍ବାଚନ ପୂର୍ବରୁ ନବୀନଙ୍କ ବଡ ନିଷ୍ପତି: ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ, ରାଜ୍ୟ କ୍ୟାବିନେଟ ଦେଲା ମଞ୍ଜୁରୀ, ମୌସୁମୀ ଅଧିବେଶନରେ ଆସିବ ବିଲ୍

36

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ନବୀନଙ୍କ ବଡ ଘୋଷଣା । ପ୍ରଥମ ଥର ଲାଗି ଓଡ଼ିଶାରେ ହେବ ବିଧାନ ପରିଷଦ । ରାଜ୍ୟ କ୍ୟାବିନେଟ ଅନୁମୋଦନ ପରେ ନ୍ୟାୟିକ ସ୍ୱୀକୃତି ପାଇଁ ପ୍ରସ୍ତୁତି । ବିଧାନସଭା ମୌସୁମୀ ଅଧିବେଶନରେ ଆସିବ ବିଲ୍ । ସଂସଦରେ ପାରିତ କରିବାକୁ ମିଳିପାରେ ବିଜେପିର ସମର୍ଥନ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି- କାହିଁକି ଆବଶ୍ୟକତା ପଡ଼ିଲା ବିଧାନ ପରିଷଦ । ନେତାଙ୍କୁ ଥଈଥାନ କରିବା ପାଇଁ ବିଧାନ ପରିଷଦର ପରିକଳ୍ପନା କରାଯାଇ୍ଥିବା ଅଭିଯୋଗ ଆଣିଲେ ବିରୋଧୀ ।

ଚାରିଟି ରାଜ୍ୟରେ ବିଧାନପରିଷଦର ପ୍ରଣାଳୀ ଓ କାର୍ଯ୍ୟଧାରାକୁ ଅନୁଧ୍ୟାନ କରିବା ପରେ ଓଡିଶାରେ ବିଧାନପରିଷଦ ଗଠନ ପାଇଁ ନିଷ୍ପତି ଚୂଡାନ୍ତ ହୋଇଛି । ୨୦୧୫ରେ ଏ ସଂକ୍ରାନ୍ତରେ ଗଠିତ କମିଟି ପ୍ରଥମେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯାଇ ଅନୁଧ୍ୟାନ କରିଥିଲେ । ପରେ ତେଲେଙ୍ଗାନା ଓ ବିହାରରେ ମଧ୍ୟ ଅନୁଧ୍ୟାନ କରି ଗତ ଅଗଷ୍ଟ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି । ଆଗାମୀ ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ମୌସୁମା ଅଧିବେସନରେ ଏ ସଂପର୍କରେ ସଂକଳ୍ପ ପ୍ରସ୍ତାବ ଆସିବ ।

ପୁରୁଣା ବିଧାନସୌଧରେ ବିଧାନପରିଷଦର ସଭାକାର୍ଯ୍ୟ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ବିଧାନ ପରିଷଦର ସଭ୍ୟ ବିଧାୟକଙ୍କ ପରି ସମାନ ଦରମା, ଭତା ଓ ଅନ୍ୟାନ୍ୟ ଆନୁସାଂଗିିକ ସୁବିଧା ସୁଯୋଗ ପାଇବେ । ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ । ସମ୍ବିଧାନର ଧାରା ୧୬୯ (୧) ଅନୁଯାୟୀ ବିଧାନପରିଷଦ ଗଠନ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।

ରାଜ୍ୟ ବିଧାନସଭା ସଦସ୍ୟ ସଂଖ୍ୟାର ଏକ ତୃତୀୟାଂଶ ସଭ୍ୟ ବିଧାନପରିଷଦରେ ରହିବେ । ଓଡିଶା ବିଧାନସଭାର ସଭ୍ୟ ସଂଖ୍ୟା ୧୪୭ ତେଣୁ ବିଧାନପରିଷଦର ସଭ୍ୟ ସଂଖ୍ୟା ୪୯ ରହିବ । ରାଜ୍ୟସଭା ପରି ବିଧାନ ପରିଷଦର ସଭ୍ୟଙ୍କ କାର୍ଯ୍ୟକାଳ ବି ୬ ବର୍ଷ ରହିବ ପ୍ରତି ଦୁଇବର୍ଷରେ ଥରେ ଏକ ତୃତୀୟାଂଶ ସଭ୍ୟଙ୍କ କାର୍ଯ୍ୟକାଳ ଶେଷ ହେବ ସଭ୍ୟମାନଙ୍କୁ ରାଜ୍ୟ ବିଧାନସଭା, ପଂଚାୟତ ସ୍ତରର ଲୋକାଲ ବଡି ଓ ରାଜ୍ୟପାଳ ମନୋନିତ କରିବେ ରାଜ୍ୟର ଗ୍ରାଜୁଏଟ ଓ ଶିକ୍ଷକ ସଂଘ ମଧ୍ୟ ସଦସ୍ୟମାନଙ୍କୁ ବିଧାନପରିଷଦକୁ ପଠାଇପାରିବେ ।

ପ୍ରଶ୍ନ ଉଠୁଛି ଓଡିଶାରେ ବିଧାନପରିଷଦର ଆବଶ୍ୟକତା କାହିଁକି ପଡିଲା? ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କରିବା ବିଧାନପରିଷଦର ବାଧ୍ୟବାଧକତା ଅନୁଭବ କଲେ କି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ? ଥଇଥାନର ବାଟ ବାହାର କରିବା ପାଇଁ ବିଧାନପରିଷଦର ପରିକଳ୍ପନା କରୁ ନାହାଁନ୍ତି ତ ସରକାର?

କ୍ୟାବିନେଟ ଅନୁମୋଦନ ପରେ ନ୍ୟାୟିକ ସ୍ୱୀକୃତି ପାଇଁ ଜୋରଦାର ହେବ ଉଦ୍ୟମ । ପ୍ରଥମେ ବିଧାନସଭା ଓ ପରେ ସଂସଦର ଉଭୟ ଗୃହରେ ସଂକଳ୍ପ ପାରିତ କରାଇବାକୁ ଚାହିଁବ ବିଜେଡି । ସଂସଦରେ ସଂକଳ୍ପ ପାରିତ କଲାବେଳେ ବିଜେପିର ସମର୍ଥନ ମିଳିବ ବୋଲି ଆଶା ରଖିଛନ୍ତି ବିଜେଡି ସରକାର । କାରଣ ନିକଟ ଅତୀତରେ ଅନେକ ପ୍ରସଙ୍ଗରେ ବିଜେପିର ନିଷ୍ପତିକୁ ସମର୍ଥନ ଜଣାଇଛି ବିଜେଡି ।