ବଡ଼ଦାଣ୍ଡର ଛାତ ଉପରୁ କେହି ଦେଖି ପାରିବେନି ରଥଯାତ୍ରା । ପ୍ରଶାସନର ବାରଣ ପରେ କଟକଣା ହଟାଇବାକୁ ଦାବି କଲେ ବଡ଼ଦାଣ୍ଡ ବାସିନ୍ଦା । କହିଲେ, ନିଜ ଛାତ ଉପରୁ କାହିଁକି କରିପାରିବୁନି ଦର୍ଶନ ।

292

କନକ ବ୍ୟୁରୋ : ପୁରୀ ବଡଦାଣ୍ଡରେ ଥିବା ଘର ଛାତ ଉପରୁ ରଥଯାତ୍ରା ଦେଖିବା ଉପରେ ପ୍ରଶାସନ କଟକଣା ଲଗାଇବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେମାନେ ନିଜ ନିଜ ଛାତ ଉପରୁ କାହିଁକି ରଥଯାତ୍ରା ଦେଖିପାରିବେ ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

କରୋନା ପୂର୍ବର ରଥଯାତ୍ରାର ଦୃଶ୍ୟ ଏମିତି ଥିଲା । ବଡ଼ଦାଣ୍ଡରେ ରଥ ଗଡ଼ୁଥିଲା, ଆଉ ବଡ଼ଦାଣ୍ଡର ଦୁଇପାଶ୍ୱର୍ରେ ଥିବା ଘରର ଛାତ ଥିଲା ଭରପୁର । ଧର୍ମଶାଳା, ଲଜ୍ କିମ୍ବା କାହାର ବାସଗୃହ, ସବୁଠି ଲୋକଙ୍କ ଭିଡ଼ । ଛାତ ଉପରୁ ଶ୍ରୀଜିଉଙ୍କୁ ଦର୍ଶନ କରୁଥିଲେ ହଜାର ହଜାର ଲୋକ । ହେଲେ କରୋନା ମହାମାରୀ ଯୋଗୁଁ ଛାତ ଉପରେ ରଥ ଦର୍ଶନକୁ ବାରଣ କରିଛି ପ୍ରଶାସନ । ଆଉ ଯାହାକୁ ନେଇ ପୁରୀ ବାସିନ୍ଦାଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

କ୍ଷୋଭର ସହ ବଡ଼ଦାଣ୍ଡର ବାସିନ୍ଦା କହିଛନ୍ତି, ସେମାନଙ୍କ ଘର ସାମନାରେ ରଥ ଗଡ଼ୁଥିବ । ହେଲେ ଦର୍ଶନରୁ ବଂଚିତ ହୋଇ ସେମାନେ ଘର ଭିତରେ ବସିଥିବେ, ନିଜ ଛାତ ଉପରେ ଠାକୁରଙ୍କୁ ଦେଖିବାର ସୁଯୋଗ ମିଳିବ ନାହିଁ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ବିନା ଭକ୍ତରେ ଏଥର ମଧ୍ୟ ହେବାକୁ ଯାଉଛି ରଥଯାତ୍ରା । ବଡ଼ଦାଣ୍ଡର ଦୁଇ ପାଶ୍ୱର୍ରେ ରହିଥିବା ଘରର ଛାତ ଉପରୁ ରଥଯାତ୍ରା ଦେଖିବାକୁ ମଧ୍ୟ ବାରଣ କରିଛି ପ୍ରଶାସନ । କେବଳ ଝରକା ଦେଇ ଦେଖିପାରିବେ । କିନ୍ତୁ ପ୍ରଶ୍ନ ଉଠିଛି, ନିଜ ଛାତ ଉପରକୁ କାହିଁକି ଜଣେ ଯାଇପାରିବ ନାହିଁ ।